Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହର୍ମୁଜ୍‌ ନିକଟରେ ଅଟକିଛି ୯ ଭାରତୀୟ ଜାହାଜ, ଫସିଛନ୍ତି ୧୯୮ ଭାରତୀୟ ନାବିକ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଅସ୍ଥିର ପରିସ୍ଥିତି ମଧ୍ୟରେ ହର୍ମୁଜ୍‌ ପ୍ରଣାଳୀ ନିକଟରେ ୯ଟି ଭାରତୀୟ ଜାହାଜ ଅଟକି ରହିଛି । ଏହି ଜାହାଜଗୁଡ଼ିକରେ ମୋଟ ୧୯୮ ଜଣ ଭାରତୀୟ ନାବିକ ରହିଛନ୍ତି। ଫେବ୍ରୁଆରି ୨୮ରୁ ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ମଙ୍ଗଳବାର ସୁଦ୍ଧା ଭାରତକୁ ସାମଗ୍ରୀ ପରିବହନ କରୁଥିବା ୫୦ଟି ଭାରତୀୟ ଓ ବିଦେଶୀ ପତାକାଧାରୀ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍‌ ପ୍ରଣାଳୀ ଅତିକ୍ରମ କରିଛି। ତେବେ ୯ଟି ଭାରତୀୟ ଜାହାଜ ହର୍ମୁଜ୍‌ ନିକଟରେ ରହିଥିବାରୁ ଚର୍ଚ୍ଚା ବଢ଼ିଛି।

ଜାହାଜ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏହି ଜାହାଜଗୁଡ଼ିକ କୌଣସି ବିପଦରେ ଫସି ନାହାନ୍ତି। ବରଂ ବାଣିଜ୍ୟିକ କାରଣ କିମ୍ବା ଅନ୍ୟ କାର୍ଯ୍ୟସୂଚୀ ପାଇଁ ସେଠାରେ ଅପେକ୍ଷା କରୁଥିବା ସମ୍ଭାବନା ରହିଛି। ସେମାନେ ନୂଆ ମାଲ ପରିବହନ ପାଇଁ ଅପେକ୍ଷା କରୁଛନ୍ତି କି ଅନ୍ୟ କୌଣସି ବାଣିଜ୍ୟିକ କାରଣରୁ ରହିଛନ୍ତି, ସେନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ପରିସ୍ଥିତି ଉପରେ ସରକାର ଓ ସମ୍ପୃକ୍ତ ବିଭାଗ ନିରନ୍ତର ନଜର ରଖିଥିବା କୁହାଯାଇଛି।

ଅଧିକାରୀମାନଙ୍କ କହିବା ଅନୁସାରେ, ଏପର୍ଯ୍ୟନ୍ତ ୧୮ଟି ଭାରତୀୟ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍‌ ପ୍ରଣାଳୀ ଅତିକ୍ରମ କରିଛି। ସେହିପରି ଅବଶିଷ୍ଟ ୩୨ଟି ବିଦେଶୀ ପତାକାଧାରୀ ଜାହାଜ ମଧ୍ୟ ଏହି ମାର୍ଗ ବ୍ୟବହାର କରିଛି। ଏହି ଜାହାଜଗୁଡ଼ିକ ମଧ୍ୟରେ ୧୯ଟି ବଲ୍କ କ୍ୟାରିଅର, ୧୪ଟି ଏଲପିଜି ବାହୀ ଜାହାଜ, ୧୨ଟି ଅଶୋଧିତ ତୈଳ ଟ୍ୟାଙ୍କର, ୨ଟି ଏଲଏନଜି କ୍ୟାରିଅର ଏବଂ ଗୋଟିଏ କଣ୍ଟେନର ଜାହାଜ ରହିଛି। ଶିଳ୍ପ ବିଶେଷଜ୍ଞମାନଙ୍କ ମତରେ, ଅଞ୍ଚଳର ସୁରକ୍ଷା ପରିସ୍ଥିତି ସ୍ୱାଭାବିକ ହେବା ପରେ ଜାହାଜ ଚଳାଚଳ ଓ ବାଣିଜ୍ୟିକ କାର୍ଯ୍ୟକଳାପ ପୁଣି ଗତି ପାଇବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ