Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ; ୪.୨୯ ଲକ୍ଷ ଛାତ୍ରଛାତ୍ରୀ ମନୋନୀତ, ୯୩.୦୪% ସିଲେକ୍ସନ ହାର

ଭୁବନେଶ୍ୱର: ଯୁକ୍ତ ଦୁଇ (ପ୍ଲସ୍-ଟୁ) ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ଇ-ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ତାଲିକା ଅନୁଯାୟୀ, ମୋଟ ୪,୬୧,୩୨୫ ଆବେଦନକାରୀଙ୍କ ମଧ୍ୟରୁ ୪,୨୯,୨୧୯ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି। ଏହା ସମୁଦାୟ ଆବେଦନର ୯୩.୦୪ ପ୍ରତିଶତ। କଟ୍-ଅଫ୍ ମାର୍କ ତାଲିକାରେ କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଛି।

ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳା ବିଭାଗରେ ୨,୭୬,୯୨୫, ବିଜ୍ଞାନରେ ୧,୨୧,୪୯୪, ବାଣିଜ୍ୟରେ ୧୯,୮୪୪, ଉପଶାସ୍ତ୍ରୀରେ ୬,୧୩୪ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୮୨୨ ଜଣ ସ୍ଥାନ ପାଇଛନ୍ତି। ସେହିପରି ମୋଟ ମନୋନୀତଙ୍କ ମଧ୍ୟରୁ ୨,୦୦,୪୯୩ ଜଣ ଛାତ୍ର, ୨,୨୮,୬୭୫ ଜଣ ଛାତ୍ରୀ ଏବଂ ୫୧ ଜଣ ଅନ୍ୟାନ୍ୟ ବର୍ଗର ଶିକ୍ଷାର୍ଥୀ ରହିଛନ୍ତି। ଏଥିସହ ୨,୭୪,୪୫୪ ଜଣ ଶିକ୍ଷାର୍ଥୀ ନିଜର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ସୁଯୋଗ ପାଇଥିବାବେଳେ, ୩୨,୧୦୬ ଜଣ ପ୍ରଥମ ପର୍ଯ୍ୟାୟରେ ସ୍ଥାନ ପାଇନଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଓ ସ୍ପଟ୍ ସିଲେକ୍ସନରେ ସୁଯୋଗ ପାଇବେ।

କଟ୍-ଅଫ୍ ମାର୍କ ଅନୁସାରେ, ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୮୧ ପ୍ରତିଶତ, ବାଣିଜ୍ୟରେ ୮୨.୪୦ ପ୍ରତିଶତ ଏବଂ ବିଜ୍ଞାନରେ ସର୍ବାଧିକ ୯୩.୪୦ ପ୍ରତିଶତ କଟ୍-ଅଫ୍ ସହ ପ୍ରଥମ ସ୍ଥାନରେ ରହିଛି। ବିଏସଇ ଓଡ଼ିଶାର ୪,୨୬,୪୦୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩,୯୫,୬୮୧ ଜଣ ଏହି ପର୍ଯ୍ୟାୟରେ ନାମଲେଖା ସୁଯୋଗ ପାଇଛନ୍ତି। ଆସନ୍ତା ଜୁଲାଇ ୨୩ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ। କଟ୍-ଅଫ୍ ତାଲିକା ପ୍ରକାଶ ପାଇବା ପରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି | ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ କାଗଜପତ୍ର ସହ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ତେବେ ଚଳିତ ବର୍ଷ ମଧ୍ୟ ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କଟ୍-ଅଫ୍ ମାର୍କ ଉଚ୍ଚ ରହିଥିବାରୁ ନାମଲେଖା ପାଇଁ ପ୍ରତିଯୋଗିତା ପୂର୍ବବର୍ଷ ଭଳି ଏଥର ମଧ୍ୟ ବେଶ୍ କଡ଼ା ଥିବା ସ୍ପଷ୍ଟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ