୧୬ ଲକ୍ଷ ଟଙ୍କା ପାଇଁ ଚିନ୍ତାରେ ଥିଲେ IIC ବିଉଟି ମହାନ୍ତି! ଜମି ଠକେଇ ନେଇ ପୋଲିସର ତଦନ୍ତ ଜୋରଦାର
ଭୁବନେଶ୍ୱର: ଚାଉଳିଆଗଞ୍ଜ ଥାନାର ଆଇଆଇସି ବିଉଟି ମହାନ୍ତିଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତକାରୀ ଟିମ୍ର ପ୍ରାଥମିକ ଅନୁମାନ ଅନୁଯାୟୀ, ଜମି କିଣିବାକୁ ଦେଇଥିବା ପ୍ରାୟ ୧୬ ଲକ୍ଷ ଟଙ୍କା ଫେରସ୍ତ ନମିଳିବା ଏବଂ ଜମି ମଧ୍ୟ ହାତକୁ ନଆସିବା ଯୋଗୁଁ ସେ ଦୀର୍ଘଦିନ ଧରି ମାନସିକ ଚାପରେ ରହୁଥିଲେ | ତେବେ ଏହି ଆର୍ଥିକ ବିବାଦ ତାଙ୍କ ମୃତ୍ୟୁ ସହ ଜଡ଼ିତ କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
ତଦନ୍ତରୁ ଜଣାପଡ଼ିଛି ଯେ, କିଛି ବର୍ଷ ପୂର୍ବରୁ ଜଗତପୁର ଅଞ୍ଚଳରେ ଜମି କିଣିବା ପାଇଁ ବିଉଟି ମହାନ୍ତି ପୋଲିସ ବିଭାଗର ଜଣେ କର୍ମଚାରୀଙ୍କୁ ୧୬ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ, ସେହି କର୍ମଚାରୀ ଜମିକୁ ନିଜ ନାମରେ କିଣିନେଇଥିଲେ। ପରେ ବିଉଟି ଜମି ନିଜ ନାମରେ କରିଦେବାକୁ କହିଥିଲେ ମଧ୍ୟ ତାହା ହୋଇନଥିଲା। ଟଙ୍କା ଫେରସ୍ତ ମାଗିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ। ଏହି ଘଟଣାକୁ ନେଇ ସେ ମାନସିକ ଭାବେ ଚିନ୍ତିତ ଥିବା କଥା ତଦନ୍ତରେ ସାମ୍ନାକୁ ଆସିଛି। ବର୍ତ୍ତମାନ ସମ୍ପୃକ୍ତ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରୁଛି।
ଅନ୍ୟପଟେ, ବିଉଟି ମହାନ୍ତିଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ହାତରେ ପହଞ୍ଚିଛି। ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି ଏବଂ ଶରୀରରେ ଅନ୍ୟ କୌଣସି ଆଘାତ ଚିହ୍ନ ମିଳିନାହିଁ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନଥିବାରୁ ତାଙ୍କ ମୋବାଇଲ୍ର ଫରେନସିକ୍ ରିପୋର୍ଟକୁ ପୋଲିସ ଗୁରୁତ୍ୱ ଦେଉଛି। ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ କହିବା ଅନୁଯାୟୀ, ମୋବାଇଲ୍ ଫରେନସିକ୍ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ନେଇ ଅଧିକ ସ୍ପଷ୍ଟତା ମିଳିପାରେ।

