ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ପ୍ରଭାତ ବିଶ୍ୱାଳ! ଆସନ୍ତା ୧୨ ତାରିଖରେ ପଦ୍ମ ଧରିବା ନେଇ ଚର୍ଚ୍ଚା ଜୋରଦାର
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଉ ଏକ ବଡ଼ ଦଳବଦଳର ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେପିରେ ସାମିଲ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ଆସନ୍ତା ୧୨ ତାରିଖ ରବିବାର ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ପଦ୍ମ ଧରିପାରନ୍ତି।
ପ୍ରଭାତ ବିଶ୍ୱାଳଙ୍କ ସହ ତାଙ୍କର ବହୁ ସମର୍ଥକ ଓ ଅନୁଗତ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି। ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ସଭାପତି, ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ପ୍ରଭାତଙ୍କ ସହ ଚୌଦ୍ୱାର ପୌରପାଳିକା ଓ କଟକ ମହାନଗର ନିଗମର କେତେଜଣ କାଉନ୍ସିଲର ଏବଂ କର୍ପୋରେଟର ବିଜେପିରେ ସାମିଲ ହେବେ, ସେନେଇ ମଧ୍ୟ ରାଜନୈତିକ ମହଳରେ ଉତ୍ସୁକତା ବଢ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ସେହି ଦିନଠାରୁ ତାଙ୍କ ବିଜେପିରେ ଯୋଗଦାନକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ନିକଟରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ, ପ୍ରଭାତ ବିଶ୍ୱାଳଙ୍କ ସମ୍ଭାବ୍ୟ ଯୋଗଦାନ ରାଜ୍ୟ ରାଜନୀତିରେ ଆଉ ଏକ ବଡ଼ ପରିବର୍ତ୍ତନ ଆଣିପାରେ।

