Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠିକା କର୍ମଚାରୀଙ୍କ ପାଇଁ ବଡ଼ ଖବର! ନିୟମିତକରଣ ପ୍ରକ୍ରିୟା ଆରମ୍ଭ, ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟରତ ଠିକା ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ଦାବିକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୁଲାଇ ୬ରେ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସାଧାରଣ ପ୍ରଶାସନ, ଜଳସମ୍ପଦ, ଆଇନ ଏବଂ ଅନୁସୂଚିତ ଜାତି-ଜନଜାତି ବିଭାଗର ସଚିବମାନେ ସଦସ୍ୟ ରହିଛନ୍ତି।

କମିଟି ବିଭିନ୍ନ ବିଭାଗରେ ଆଡହକ୍‌ ଓ ଚୁକ୍ତିଭିତ୍ତିକ ନିଯୁକ୍ତିର ଆଇନଗତ ଏବଂ ନୀତିଗତ ସ୍ଥିତିକୁ ପରୀକ୍ଷା କରିବ। ସେହିପରି ସରକାରୀ ଅନୁମୋଦିତ ଓ ଅନନୁମୋଦିତ ପଦବୀରେ କେତେ ନିଯୁକ୍ତି ହୋଇଛି, କେଉଁ ବିଭାଗରେ କେତେ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ଏବଂ ନିଯୁକ୍ତି ସମୟରେ ସରକାରୀ ନିୟମ ପାଳନ ହୋଇଛି କି ନାହିଁ, ତାହାର ମଧ୍ୟ ସମୀକ୍ଷା କରିବ। ୨୦୧୩ ପୂର୍ବରୁ ହୋଇଥିବା ଗ୍ରୁପ୍ ‘ବି’, ‘ସି’ ଓ ‘ଡି’ ପଦବୀର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ମଧ୍ୟ ଯାଞ୍ଚ ପରିସରକୁ ଅଣାଯିବ।

ଉଲ୍ଲେଖଯୋଗ୍ୟ, ୨୦୨୨ ଅକ୍ଟୋବରରେ ପୂର୍ବ ସରକାର ଠିକା ପ୍ରଥା ଉଚ୍ଛେଦ ଘୋଷଣା କରି ପ୍ରାୟ ୫୭ ହଜାର କର୍ମଚାରୀଙ୍କୁ ନିୟମିତ କରିଥିଲେ। କିନ୍ତୁ ବିଭିନ୍ନ ବିଭାଗର ପ୍ରାୟ ୬୦ ହଜାରରୁ ଅଧିକ କର୍ମଚାରୀ ସେହି ପ୍ରକ୍ରିୟାରୁ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଓ ଦାବି ଚାଲିଆସୁଥିବାବେଳେ, ନୂଆ କମିଟି ଗଠନକୁ ନିୟମିତକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କର୍ମଚାରୀ ସଂଘମାନେ ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories