ଚିଲିକା ମଝିରେ ଅଚଳ ହେଲା ଯାତ୍ରୀବାହୀ ଲଞ୍ଚ; ୫୦ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ ମତ୍ସ୍ୟଜୀବୀ
ଚିଲିକା ହ୍ରଦର ମଝିରେ ଏକ ଯାତ୍ରୀବାହୀ ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇପଡ଼ିବାରୁ କିଛି ସମୟ ପାଇଁ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଲୁଗାଁରୁ କୃଷ୍ଣପ୍ରସାଦଗଡ଼ ଜେଟି ଅଭିମୁଖେ ଯାଉଥିବା ଏହି ଲଞ୍ଚରେ ୫୦ରୁ ଅଧିକ ଯାତ୍ରୀ ଓ ଅନେକ ବାଇକ୍ ଥିଲା। ହଠାତ୍ ଇଞ୍ଜିନରେ ତ୍ରୁଟି ଦେଖାଦେବା ପରେ ଲଞ୍ଚଟି ଚିଲିକାର ମଝିରେ ଅଟକି ଯାଇଥିଲା।
ଲଞ୍ଚଟି ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ପାଣି ମଝିରେ ଅଚଳ ରହିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ତିନୋଟି ଡଙ୍ଗା ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୀର୍ଘ ସମୟ ଧରି ପରିଶ୍ରମ କରି ଲଞ୍ଚଟିକୁ ଟାଣି ସୁରକ୍ଷିତ ଭାବେ ଘାଟ ନିକଟକୁ ଆଣିବାରେ ସଫଳ ହୋଇଥିଲେ।
ଲଞ୍ଚଟି କୂଳରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ତେବେ ଘଟଣା ପରେ ଚିଲିକାରେ ଚଳାଚଳ କରୁଥିବା ଯାତ୍ରୀବାହୀ ଜଳଯାନର ନିୟମିତ ରକ୍ଷଣାବେକ୍ଷଣ, ଯାନ୍ତ୍ରିକ ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଜଳଯାନଗୁଡ଼ିକର ନିୟମିତ ଫିଟ୍ନେସ୍ ଯାଞ୍ଚ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଦାବି କରିଛନ୍ତି।

