ସବୁଜ ଶକ୍ତିର ବିଶ୍ୱ କେନ୍ଦ୍ର ହେବ ଭାରତ; ଅଷ୍ଟ୍ରେଲିଆରେ ଆୟୋଜିତ ସିଇଓ ଫୋରମରେ ମୋଦୀଙ୍କ ବଡ଼ ବାର୍ତ୍ତା
ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଲବୋର୍ଣ୍ଣରେ ଆୟୋଜିତ ସିଇଓ ଫୋରମକୁ ସମ୍ବୋଧିତ କରି ଭାରତକୁ ବିଶ୍ୱର ସବୁଜ ଶକ୍ତି କେନ୍ଦ୍ରରେ ପରିଣତ କରିବାର ସଂକଳ୍ପ ଦୋହରାଇଛନ୍ତି। ସେ କହିଛନ୍ତି, ଭାରତ ଜଳବିଦ୍ୟୁତ, ସବୁଜ ହାଇଡ୍ରୋଜେନ, ସୌର ମଡ୍ୟୁଲ ଓ ପବନ ଟର୍ବାଇନ୍ର ଉତ୍ପାଦନ ପାଇଁ ଶକ୍ତିଶାଳୀ ଇକୋସିଷ୍ଟମ୍ ଗଠନ କରୁଛି। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ନବୀକରଣଯୋଗ୍ୟ ଶକ୍ତି କ୍ଷମତା ଏବଂ ୨୦୭୦ ସୁଦ୍ଧା ନେଟ୍-ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବା ସହ ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି କ୍ଷମତା ସୃଷ୍ଟି କରିବା ଭାରତର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆକୁ ଭାରତର ବିକାଶ ଯାତ୍ରାର ଏକ ବିଶ୍ୱସ୍ତ ସହଯୋଗୀ ବୋଲି ବର୍ଣ୍ଣନା କରି ଭିତ୍ତିଭୂମି, ସ୍ୱଚ୍ଛ ଶକ୍ତି, ଖଣିଜ ସମ୍ପଦ, ଉତ୍ପାଦନ, କୃତ୍ରିମ ବୁଦ୍ଧିମତ୍ତା (AI), ଫିନ୍ଟେକ୍, ଲଜିଷ୍ଟିକ୍ସ, ଡିଜିଟାଲ୍ ଅର୍ଥନୀତି ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ଦୀର୍ଘମିଆଦି ନିବେଶ ପାଇଁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ଭାରତର ବିଶାଳ ବଜାର ଏବଂ ଅଷ୍ଟ୍ରେଲିଆର ପ୍ରଯୁକ୍ତି ଓ ଦକ୍ଷତା ମିଶି ଉଭୟ ଦେଶ ପାଇଁ ଲାଭଦାୟକ ସହଭାଗିତା ସୃଷ୍ଟି କରିପାରିବ। ଏଥିସହ ବ୍ୟାପକ ଆର୍ଥିକ ସହଯୋଗ ଚୁକ୍ତି (CECA) ଶୀଘ୍ର ସମ୍ପନ୍ନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।
ଏହି ଅବସରରେ ଅଷ୍ଟ୍ରେଲିଆର ସର୍ବବୃହତ ପେନ୍ସନ୍ ଫଣ୍ଡ ଅଷ୍ଟ୍ରେଲିଆନ୍ ସୁପର ଭାରତରେ ୫୦୦ ନିୟୁତ ଆମେରିକୀୟ ଡଲାର ନିବେଶ କରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ନିବେଶକୁ ସ୍ୱାଗତ କରି କହିଛନ୍ତି, ଏହା ଭାରତର ଅର୍ଥନୈତିକ ସଂସ୍କାର ଓ ଦ୍ରୁତ ଅଭିବୃଦ୍ଧି ପ୍ରତି ବିଶ୍ୱ ନିବେଶକଙ୍କ ବିଶ୍ୱାସର ପ୍ରତିଫଳନ। ବିଶ୍ୱରେ ଯୋଗାଣ ଶୃଙ୍ଖଳ ବାଧା ଓ ଶକ୍ତି ସଙ୍କଟ ଭଳି ଚ୍ୟାଲେଞ୍ଜ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମିଳିତ ଭାବେ ବିଶ୍ୱସ୍ତ ଅଂଶୀଦାର ଭାବରେ ଆଗକୁ ବଢ଼ିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

