Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେଟ୍ରୋଲ ଢାଳି ଯୁବତୀଙ୍କ ଆତ୍ମାହୁତି ଉଦ୍ୟମରେ ନୂଆ ମୋଡ଼; ଭିଡିଓରେ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁରରେ ଜଣେ ଯୁବତୀ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଘଟଣାରେ ଏବେ ଏକ ଚାଞ୍ଚଲ୍ୟକର ମୋଡ଼ ଆସିଛି। ଆତ୍ମାହୁତି ଉଦ୍ୟମ ପୂର୍ବରୁ ଯୁବତୀ ଏକ ଭିଡିଓ ରେକର୍ଡ କରି ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ସାମ୍ନାକୁ ଆସିଛି। ଭିଡିଓରେ ସେ କହିଛନ୍ତି ଯେ, ବାପା ତାଙ୍କ ସହ ଅତ୍ୟନ୍ତ ଅମାନବୀୟ ବ୍ୟବହାର କରୁଥିଲେ ଏବଂ ତାଙ୍କୁ ଅନ୍ୟମାନଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବାପା ନିଜେ ତାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ ତାଙ୍କୁ ତିନି ମାସର ଗର୍ଭବତୀ କରିଥିଲେ। ଏହାଛଡ଼ା ଟଙ୍କା ଲୋଭରେ ଅନ୍ୟମାନଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ସେ ଭିଡିଓରେ ଦାବି କରିଛନ୍ତି। ଏହି ଗୁରୁତର ଅଭିଯୋଗର ସତ୍ୟତାକୁ ପୁଲିସ ତଦନ୍ତ କରୁଛି ଏବଂ ଘଟଣାର ସମସ୍ତ ଦିଗକୁ ଖତିଆନ କରାଯାଉଛି।

ଅନ୍ୟପଟେ, ଆତ୍ମାହୁତି ଉଦ୍ୟମ ପରେ ଗୁରୁତର ଭାବେ ଆହତ ଯୁବତୀଙ୍କୁ ପ୍ରଥମେ ବ୍ରହ୍ମପୁରରେ ଚିକିତ୍ସା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି। ଭିଡିଓରେ ଉଠିଥିବା ଅଭିଯୋଗ ଏବଂ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତକୁ ଜୋରଦାର କରିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ