ଆବାସିକ ସ୍କୁଲରେ ରହସ୍ୟମୟ ଭାବେ ଛାତ୍ରଙ୍କ ମୃତ୍ୟୁ; ବିଦ୍ୟାଳୟ ଶିକ୍ଷକଙ୍କ ବିରୋଧରେ ପରିବାରର ସଙ୍ଗୀନ ଅଭିଯୋଗ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଜଣେ ୧୨ ବର୍ଷୀୟ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ଗୁରୁ କିରଣ। ଘଟଣା ପରେ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ବୁଧବାର ସକାଳେ କ୍ୟାମ୍ପସରେ ଜଗିଂ କରୁଥିବା ସମୟରେ ଗୁରୁ କିରଣ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ, ଛାତ୍ରଙ୍କ ପରିବାର ଏହି ମୃତ୍ୟୁକୁ ସନ୍ଦେହଜନକ ବୋଲି ଦାବି କରିଛନ୍ତି। ଛାତ୍ରଙ୍କ ବାପା ରାଘବେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ କିମ୍ବା ଅନ୍ୟ କୌଣସି ଆକ୍ରମଣ ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ହୋଇଥାଇପାରେ। ତେବେ ଏହି ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ ପ୍ରମାଣିତ ହୋଇନାହିଁ।
ଘଟଣା ପରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିକ୍ଷୋଭ ସମୟରେ କିଛି ଲୋକ ସ୍କୁଲ ୱାର୍ଡେନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛନ୍ତି | ତେବେ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ବର୍ତ୍ତମାନ ସମସ୍ତ ପରିସ୍ଥିତିକୁ ଆଧାର କରି ପୋଲି ଘଟଣାର ତଦନ୍ତ ଜାରି ରଖିଛି ।

