ମଧୁମେହ ରୋଗୀଙ୍କ ପାଇଁ ବଡ଼ ଖବର! ଏଣିକି ସପ୍ତାହକୁ ଥରେ ଇନ୍ସୁଲିନ୍ ନେଲେ ଯଥେଷ୍ଟ
ନୂଆଦିଲ୍ଲୀ: ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ କୋଟି କୋଟି ରୋଗୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱାସନା। ଡେନମାର୍କର ପ୍ରସିଦ୍ଧ ଔଷଧ କମ୍ପାନୀ ନୋଭୋ ନର୍ଡିସ୍କ ଭାରତରେ ‘ଆୱିକ୍ଲି (Insulin Icodec)’ ନାମକ ସପ୍ତାହକୁ ଥରେ ନିଆଯାଉଥିବା ବେସଲ୍ ଇନ୍ସୁଲିନ୍ ଲଞ୍ଚ୍ କରିଛି। କମ୍ପାନୀର ଦାବି ଅନୁସାରେ, ଏହା ବିଶ୍ୱର ପ୍ରଥମ ସାପ୍ତାହିକ ବେସଲ୍ ଇନ୍ସୁଲିନ୍, ଯାହା ଟାଇପ୍–୧ ଓ ଟାଇପ୍–୨ ଡାଇବେଟିସ୍ରେ ପୀଡ଼ିତ ବୟସ୍କ ରୋଗୀଙ୍କ ପାଇଁ ଉପଯୋଗୀ।
ଏହି ନୂତନ ଇନ୍ସୁଲିନ୍ ବ୍ୟବସ୍ଥା ଫଳରେ ପ୍ରତିଦିନ ଇନ୍ସୁଲିନ୍ ନେବାର ଆବଶ୍ୟକତା ରହିବ ନାହିଁ। ବର୍ଷକୁ ୩୬୫ଟି ଇନ୍ସୁଲିନ୍ ଇଞ୍ଜେକ୍ସନ୍ ବଦଳରେ ମାତ୍ର ୫୨ଟି ଇଞ୍ଜେକ୍ସନ୍ରେ ଚିକିତ୍ସା ସମ୍ଭବ ହେବ। ଏହା ଫଳରେ ପ୍ରତିଦିନ ଇଞ୍ଜେକ୍ସନ୍ ନେବାର ଭୟ କମିବା ସହ ରୋଗୀମାନେ ସମୟରେ ଇନ୍ସୁଲିନ୍ ଚିକିତ୍ସା ଆରମ୍ଭ କରିବାକୁ ଉତ୍ସାହିତ ହେବେ। କମ୍ପାନୀ କହିଛି, ଭାରତରେ ଇନ୍ସୁଲିନ୍ ଚିକିତ୍ସା ଆରମ୍ଭ କରିବାରେ ହେଉଥିବା ବିଳମ୍ବ ଦୂର କରିବା ହିଁ ଏହି ଔଷଧର ମୁଖ୍ୟ ଉଦ୍ଦେଶ୍ୟ।
କମ୍ପାନୀ ୭୦୦ ୟୁନିଟ୍ର ପ୍ୟାକ୍କୁ ୨,୬୧୧ ଟଙ୍କାରେ ବଜାରକୁ ଆଣିଛି, ଯାହା ବର୍ତ୍ତମାନ ବ୍ୟବହୃତ ଦୈନିକ ବେସଲ୍ ଇନ୍ସୁଲିନ୍ ତୁଳନାରେ ପ୍ରାୟ ୩୦ରୁ ୪୦ ପ୍ରତିଶତ ଶସ୍ତା ବୋଲି କୁହାଯାଉଛି। ଏହି ଇନ୍ସୁଲିନ୍କୁ ଏକ ନିର୍ଦ୍ଦିଷ୍ଟ ଦିନରେ ପ୍ରି-ଫିଲ୍ଡ ପେନ୍ ଡିଭାଇସ୍ ମାଧ୍ୟମରେ ପେଟ, ଜଙ୍ଘ କିମ୍ବା ବାହୁର ଚର୍ମ ତଳେ ଦିଆଯାଏ। ବର୍ତ୍ତମାନ ଭାରତ ବିଶ୍ୱର ସପ୍ତମ ଦେଶ ଭାବେ ଏହି ଔଷଧକୁ ଅନୁମୋଦନ କରିଛି। ବିଶେଷଜ୍ଞଙ୍କ ମତରେ, ଏହି ନୂତନ ଉଦ୍ଭାବନ ଡାଇବେଟିସ୍ ରୋଗୀଙ୍କ ପାଇଁ ଚିକିତ୍ସାକୁ ଅଧିକ ସହଜ, ସୁବିଧାଜନକ ଓ ପ୍ରଭାବଶାଳୀ କରିବ।

