ମାମୁଁ ଘରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ମହାପ୍ରଭୁଙ୍କ ପବିତ୍ର ‘ଅଣସର ଭାର’
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସହ ଜଡ଼ିତ ଏକ ପ୍ରାଚୀନ ଓ ପବିତ୍ର ପରମ୍ପରା ଆଜି ପାଳିତ ହୋଇଛି। କଟକ ଜିଲ୍ଲାର ପ୍ରାଚୀ କ୍ଷେତ୍ର ନିଆଳିସ୍ଥିତ ମାଧବାନନ୍ଦଜୀଉ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ପବିତ୍ର ‘ଅଣସର ଭାର’ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛି। ଲୋକବିଶ୍ୱାସ ଅନୁଯାୟୀ, ଏହି ମନ୍ଦିରକୁ ମହାପ୍ରଭୁଙ୍କ ମାମୁଁ ଘର ବୋଲି ମନାଯାଏ। ସେହି ପରମ୍ପରାକୁ ଅକ୍ଷୁଣ୍ଣ ରଖି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଧିବିଧାନର ସହ ଅଣସର ଭାର ପଠାଯାଇଛି।
ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁଗନ୍ଧିତ ଜଳରେ ଦିବ୍ୟସ୍ନାନ ପରେ ମହାପ୍ରଭୁ ଜ୍ବରରେ ପଡି ଅଣସର ଘରେ ବିରାଜମାନ ଅଛନ୍ତି। ଏହି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ ଏବଂ ଗୁପ୍ତ ନୀତି ଅନୁଯାୟୀ ସେବାପୂଜା କରାଯାଏ। ମହାପ୍ରଭୁଙ୍କ ସୁସ୍ଥତା କାମନାରେ ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘ଅଣସର ଭାର’ରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ, ପଥ୍ୟ ସାମଗ୍ରୀ ଓ ପରମ୍ପରାଗତ ଉପକରଣ ସାମିଲ ରହିଥାଏ।
ଆଜି ସକାଳେ ପୂଜାର୍ଚ୍ଚନା ଓ ସମସ୍ତ ବିଧିବିଧାନ ସମ୍ପନ୍ନ ହେବା ପରେ ଅଣସର ଭାର ପୁରୀ ଅଭିମୁଖେ ଯାତ୍ରା କରିଛି। ଏହି ପବିତ୍ର ଯାତ୍ରାରେ ସେବାୟତ, ଭକ୍ତ ଓ ସ୍ଥାନୀୟ ଶ୍ରଦ୍ଧାଳୁମାନେ ସାମିଲ ହୋଇ ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ପରିବେଶକୁ ଭକ୍ତିମୟ କରିଥିଲେ। ଶତାବ୍ଦୀ ପୁରୁଣା ଏହି ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ଐତିହ୍ୟ ଭାବେ ପରିଚିତ। ଶ୍ରୀମନ୍ଦିରରେ ଅଣସର ଭାର ପହଞ୍ଚିବା ପରେ ଅଣସର ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ସମ୍ପନ୍ନ ହେବ।

