ପୂର୍ବତନ ARTOଙ୍କ ଘରେ ଉତ୍ତର ପ୍ରଦେଶ ଭିଜିଲାନ୍ସର ବଡ଼ ଚଢ଼ାଉ; ଖଟ ତଳେ ରହିଥିଲା କୋଟି କୋଟି ଟଙ୍କା, କାନ୍ଥ ଭିତରୁ ବାହାରିଲା ସୁନା ଇଟା!
ଜଣେ ପୂର୍ବତନ ସରକାରୀ ଅଧିକାରୀଙ୍କ ଘରୁ ବିରାଟ ଆକାରରେ ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଘରର ଯେଉଁଠି ଦେଖିବ ସେହି ସ୍ଥାନରୁ ସୁନା ନହଲେ ଟଙ୍କା ବାହାରୁଛି | ଉତ୍ତର ପ୍ରଦେଶ ଭିଜିଲାନ୍ସ ଟିମ୍ ପୂର୍ବତନ ARTO ଲଳିତ କୁମାରଙ୍କ ବାସଭବନରେ ଚଢ଼ାଉ କରିବା ବେଳେ ଘରର ବେଡ୍, କାନ୍ଥ, ସୋଫା ଓ ଫଲ୍ସ ସିଲିଂ ଭିତରୁ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସମ୍ପତ୍ତି ଜବତ କରିଛି। ଦୁଇ ଦିନ ଧରି ଚାଲିଥିବା ଏହି ଚଢ଼ାଉରେ ପ୍ରାୟ ୩୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଏତେ ପରିମାଣରେ ସୁନା- ରୂପା ଏବଂ ଟଙ୍କା ଦେଖି ଭିଜିଲାନ୍ସ ତାଯୁବ ହୋଇଯାଇଛି |
ଭିଜିଲାନ୍ସ ର ସୂଚନା ଅନୁସାରେ, ଲକ୍ଷ୍ନୌର ଆଲିଗଞ୍ଜ ସ୍ଥିତ ଘରୁ ପ୍ରାୟ ୧.୬୨ କୋଟି ଟଙ୍କା ନଗଦ, ୧୩ କିଲୋଗ୍ରାମ ସୁନା, ୯ କିଲୋଗ୍ରାମ ରୂପା ଓ ବହୁ ମୂଲ୍ୟବାନ ଗହଣା ଜବତ କରାଯାଇଛି। ଏହାସହ ଲକ୍ଷ୍ନୌ, ନୋଏଡା, ବାରାବଙ୍କି ଓ ରାୟବରେଲିରେ ଥିବା ଏକାଧିକ ପ୍ଲଟ୍, ଫ୍ଲାଟ୍ ଓ କୃଷିଜମିର ଦଲିଲ୍, ବ୍ୟାଙ୍କ ନିବେଶ, ମ୍ୟୁଚୁଆଲ୍ ଫଣ୍ଡ୍ କାଗଜପତ୍ର, ବିଳାସପୂର୍ଣ୍ଣ ଗାଡ଼ି ଓ ଏକ ଲାଇସେନ୍ସପ୍ରାପ୍ତ ରିଭଲଭର ମଧ୍ୟ ଜବତ ହୋଇଛି। କେବଳ ସୁନା, ରୂପା ଓ ଗହଣାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଚଢ଼ାଉ ବେଳେ ଘର ଭିତରେ ଥିବା ଏକ ଅତ୍ୟାଧୁନିକ ଡିଜିଟାଲ୍ ଲକରର ପାସୱାର୍ଡ ଦେବାକୁ ଲଳିତ କୁମାର ଅସମର୍ଥତା ପ୍ରକାଶ କରିଥିଲେ। ପରେ ଟେକ୍ନିକାଲ୍ ଏକ୍ସପର୍ଟଙ୍କ ସହାୟତାରେ ଲକର ଖୋଲାଯାଇ ସେଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଦଲିଲ୍ ଜବତ କରାଯାଇଥିଲା। ପୂର୍ବରୁ କାନପୁର ଓ ଆଗ୍ରାରେ ARTO ଭାବେ କାର୍ଯ୍ୟରତ ଥିବା ଲଳିତ କୁମାରଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଆଧାରରେ ସ୍ପେଶାଲ୍ କୋର୍ଟର ଅନୁମତି ପରେ ଏହି ଚଢ଼ାଉ କରାଯାଇଥିଲା। ବର୍ତ୍ତମାନ ଭିଜିଲାନ୍ସ ବିଭାଗ ସମସ୍ତ ଆର୍ଥିକ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଓ ନିବେଶର ଯାଞ୍ଚ ଜାରି ରଖିଥିବାବେଳେ ଏହି ମାମଲାରେ ଅନ୍ୟ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହାର ମଧ୍ୟ ତଦନ୍ତ ଚାଲିଛି।

