ମର୍କ୍ୟୁରି ରେଟ୍ରୋଗ୍ରେଡ୍କୁ ନେଇ କାହିଁକି ଏତେ ଚର୍ଚ୍ଚା? ବ୍ରେକଅପ୍, ବିଳମ୍ବ ଓ ଖରାପ ସମୟ ପାଇଁ ସତରେ କି ଦାୟୀ ଏହି ଗ୍ରହ?
ସୋସିଆଲ ମିଡିଆରେ ଏବେ Mercury Retrograde (ମର୍କ୍ୟୁରି ରେଟ୍ରୋଗ୍ରେଡ୍)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ଏକ୍ସ ସମେତ ବିଭିନ୍ନ ସୋସିଆଲ ପ୍ଲାଟଫର୍ମରେ ଏହାକୁ ନେଇ ମିମ୍, ରିଲ୍ ଓ ପୋଷ୍ଟ ଭାଇରାଲ୍ ହେଉଛି। ସମ୍ପର୍କରେ ଫାଟ, କାର୍ଯ୍ୟରେ ବିଳମ୍ବ, ଯାତ୍ରାରେ ସମସ୍ୟା କିମ୍ବା ହଠାତ୍ ଅସୁବିଧା ଦେଖାଦେଲେ ଅନେକେ ଏହା ପଛରେ ମର୍କ୍ୟୁରି ରେଟ୍ରୋଗ୍ରେଡ୍କୁ ଦାୟୀ କରୁଛନ୍ତି। ତେବେ ପ୍ରକୃତରେ ଏହା କେତେ ସତ? ଜ୍ୟୋତିଷୀମାନେ ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା…
ମର୍କ୍ୟୁରି ରେଟ୍ରୋଗ୍ରେଡ୍ କ’ଣ?
ଚଳିତ ବର୍ଷ ଜୁନ୍ ୨୯ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ମର୍କ୍ୟୁରି ରେଟ୍ରୋଗ୍ରେଡ୍ ପର୍ଯ୍ୟାୟ ଚାଲିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ବୁଦ୍ଧି, ଯୋଗାଯୋଗ, ବ୍ୟବସାୟ, ନିଷ୍ପତ୍ତି ନେବାର କ୍ଷମତା ଏବଂ ସ୍ୱଳ୍ପ ଦୂରତାର ଯାତ୍ରାର କାରକ। ରେଟ୍ରୋଗ୍ରେଡ୍ ସମୟରେ ବୁଧ ଗ୍ରହ ବାସ୍ତବରେ ପଛକୁ ଗତି କରେ ନାହିଁ। ପୃଥିବୀରୁ ଦେଖିଲେ ଏହା ପଛକୁ ଗତି କରୁଥିବା ଭଳି ଦେଖାଯାଏ, ଯାହା ଏକ ଅପ୍ଟିକାଲ୍ ଇଲ୍ୟୁଜନ୍ (Optical Illusion) ତିଆରି କରିଥାଏ ।
କାହିଁକି ଦାୟୀ କରାଯାଏ ମର୍କ୍ୟୁରି ରେଟ୍ରୋଗ୍ରେଡ୍କୁ?
ଜ୍ୟୋତିଷ ବିଶେଷଜ୍ଞଙ୍କ ମତରେ, ଏହି ସମୟରେ ଯୋଗାଯୋଗରେ ଭୁଲ ବୁଝାମଣା, ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ, କାମରେ ବିଳମ୍ବ କିମ୍ବା ପୁରୁଣା ସମସ୍ୟା ପୁଣି ସାମ୍ନାକୁ ଆସିପାରେ। ତେବେ ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ବ୍ରେକଅପ୍, ବିଫଳତା କିମ୍ବା ଖରାପ ଘଟଣା ପଛରେ କେବଳ ମର୍କ୍ୟୁରି ରେଟ୍ରୋଗ୍ରେଡ୍ ହିଁ ଦାୟୀ। ବ୍ୟକ୍ତିଙ୍କ ନିଜସ୍ୱ ନିଷ୍ପତ୍ତି, ବ୍ୟବହାର, ପରିସ୍ଥିତି ଏବଂ ଯୋଗାଯୋଗର ଅଭାବ ଅଧିକ ପ୍ରଭାବ ପକାଇଥାଏ।
ଏହି ସମୟରେ କ’ଣ କରିବେ?
ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଏହି ସମୟରେ ରାଗରେ କୌଣସି ବଡ଼ ନିଷ୍ପତ୍ତି ନ ନେବା, ଆର୍ଥିକ କାରବାର ଓ ସମ୍ପତ୍ତି ସମ୍ବନ୍ଧୀୟ ବିଷୟରେ ସତର୍କ ରହିବା ଏବଂ କୌଣସି କଥାକୁ ଭଲଭାବେ ବୁଝିବା ପରେ ପ୍ରତିକ୍ରିୟା ଦେବା ଉଚିତ୍। ପୁରୁଣା କାମ ସମ୍ପୂର୍ଣ୍ଣ କରିବା, ଅଧାରେ ରହିଥିବା ଯୋଜନାକୁ ପୂରଣ କରିବା, ଧ୍ୟାନ, ଯୋଗ ଓ ସକାଳ ସମୟରେ ବୁଲାବୁଲି କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ।
ସୋସିଆଲ ମିଡିଆର ଟ୍ରେଣ୍ଡ ନା ବାସ୍ତବତା?
ଜ୍ୟୋତିଷୀମାନଙ୍କ ମତରେ, ସୋସିଆଲ ମିଡିଆରେ ମର୍କ୍ୟୁରି ରେଟ୍ରୋଗ୍ରେଡ୍କୁ ଅନେକ ସମୟରେ ଅତିରଞ୍ଜିତ ଭାବେ ଉପସ୍ଥାପନ କରାଯାଉଛି। ମିମ୍ ଓ ଭିଡିଓ ଏହାକୁ ଲୋକପ୍ରିୟ କରୁଥିଲେ ମଧ୍ୟ, ଜୀବନର ପ୍ରତ୍ୟେକ ସମସ୍ୟା ପଛରେ କେବଳ ଗ୍ରହର ଗତିକୁ ଦାୟୀ କରିବା ଉଚିତ୍ ନୁହେଁ। ବରଂ ସକାରାତ୍ମକ ଚିନ୍ତାଧାରା, ସ୍ପଷ୍ଟ ଯୋଗାଯୋଗ, ଧୈର୍ଯ୍ୟ ଏବଂ ସଠିକ୍ ନିଷ୍ପତ୍ତି ହିଁ ଜୀବନରେ ସଫଳତାର ମୂଳମନ୍ତ୍ର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

