୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ! ଛତିଶଗଡ଼ରେ ଛଦ୍ମନାମରେ ଲୁଚିଥିଲା; ରେଙ୍ଗାଲି ପୋଲିସର ବଡ଼ ସଫଳତା
ଝାରସୁଗୁଡ଼ା: ପ୍ରାୟ ୨୮ ବର୍ଷ ଧରି ପୋଲିସକୁ ଚକମା ଦେଇ ଫେରାର ଥିବା ଜଣେ ହତ୍ୟା ଅଭିଯୁକ୍ତକୁ ଶେଷରେ ଗିରଫ କରିବାରେ ସଫଳ ହୋଇଛି ଝାରସୁଗୁଡ଼ାର ରେଙ୍ଗାଲି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ରେଙ୍ଗାଲି ଥାନା ଅନ୍ତର୍ଗତ ଭୂନ୍ଦୁପାଲି ଗାଁର ନୀଳମଣି ମହାନନ୍ଦ। ଦୀର୍ଘ ବର୍ଷ ଧରି ସେ ନିଜର ପ୍ରକୃତ ପରିଚୟ ଲୁଚାଇ ଛତିଶଗଡ଼ରେ ‘ରାଜୁ ଗୋଣ୍ଡ’ ନାମରେ ବସବାସ କରୁଥିଲେ। ଗୁଇନ୍ଦା ସୂଚନା ଆଧାରରେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ୍ ତାଙ୍କୁ ଗିରଫ କରିଛି।
୧୯୯୮ ଅକ୍ଟୋବର ୬ ତାରିଖ ରାତିରେ ଭୂନ୍ଦୁପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ଯୋଧନ ଦୀପଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ମୃତକଙ୍କ ପୁଅ ଦେବଲାଲ ଦୀପ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କିନ୍ତୁ ନୀଳମଣି ମହାନନ୍ଦ ଘଟଣା ପରଠାରୁ ଫେରାର ହୋଇଯାଇଥିଲେ ଏବଂ ଦୀର୍ଘ ୨୮ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଲୁଚି ରହିଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ, ନୀଳମଣି ଛତିଶଗଡ଼ରେ ‘ରାଜୁ ଗୋଣ୍ଡ’ ନାମରେ ଆଧାର କାର୍ଡ ଓ ପ୍ୟାନ୍ କାର୍ଡ ତିଆରି କରି ନୂଆ ପରିଚୟରେ ଜୀବନ ବିତାଉଥିଲେ। ଗୁଇନ୍ଦା ସୂଚନା ମିଳିବା ପରେ ରେଙ୍ଗାଲି ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଛତିଶଗଡ଼ରୁ ତାଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି।

