ସୁପ୍ରିମକୋର୍ଟରେ ହାଇଡ୍ରାମା! ପ୍ରଧାନ ବିଚାରପତିଙ୍କୁ ଅପମାନ, କୋର୍ଟରେ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁପ୍ରିମକୋର୍ଟରେ ଶୁକ୍ରବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ନିଜେ ମାମଲା ଲଢ଼ୁଥିବା ଆବେଦନକାରୀ ପ୍ରବଳ ପ୍ରତାପ ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ କରିବା ସହ କୋର୍ଟ କକ୍ଷରେ କାଗଜପତ୍ର ଫିଙ୍ଗି ହଙ୍ଗାମା ସୃଷ୍ଟି କରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ତାଙ୍କୁ କୋର୍ଟରୁ ବାହାର କରି ଅଟକ ରଖିଥିଲେ।
ଜଷ୍ଟିସ୍ କେ.ଭି. ବିଶ୍ୱନାଥନ ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ଚାଲିଥିବା ବେଳେ ପ୍ରବଳ ପ୍ରତାପ ନିଜକୁ “ସାର୍ବଭୌମ” ବୋଲି ପରିଚୟ ଦେଇ ବିଚାରପତିମାନଙ୍କୁ “ନ୍ୟାୟିକ ସେବକ” ବୋଲି ସମ୍ବୋଧନ କରିଥିଲେ। ସେ ଲକ୍ଷ୍ନୌର ଏକ ଏଏସପିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ କୋର୍ଟକୁ “ଆଦେଶ” ଦେଉଥିବା କଥା କହିଥିଲେ। ଏହା ଶୁଣି ଜଷ୍ଟିସ୍ ବିଶ୍ୱନାଥନ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଥିଲେ, “ଆପଣ ଆମକୁ ଆଦେଶ ଦେଉଛନ୍ତି?” ଏହା ପରେ ଆବେଦନକାରୀ ଉତ୍ତେଜିତ ହୋଇ କୋର୍ଟରେ କାଗଜ ଫିଙ୍ଗିବା ସହ ଅଶୋଭନ ଆଚରଣ କରିଥିଲେ।
ଘଟଣା ପରେ ସୁରକ୍ଷାକର୍ମୀମାନେ ତୁରନ୍ତ ତାଙ୍କୁ କୋର୍ଟରୁ ବାହାର କରିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅବମାନନା କିମ୍ବା ଅନ୍ୟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ନିଷ୍ପତ୍ତି ନେଇଥିଲେ। ଖଣ୍ଡପୀଠ କହିଥିଲେ ଯେ, ମାମଲାର ଯୋଗ୍ୟତା ଆଧାରରେ ହସ୍ତକ୍ଷେପ କରିବାର କୌଣସି କାରଣ ନଥିବାରୁ ଆବେଦନକୁ ଖାରଜ କରାଯାଉଛି। ପରେ ଜଷ୍ଟିସ୍ ବିଶ୍ୱନାଥନ କହିଥିଲେ, “ସେ ମାନସିକ ଭାବେ ବହୁତ ବିଚଳିତ। ଏହା ତାଙ୍କର ହତାଶାର ପ୍ରତିଫଳନ। ତାଙ୍କ ପ୍ରତି ଆମର କେବଳ ସହାନୁଭୂତି ରହିଛି।”

