ମା’କୁ ହତ୍ୟା କରିଥିବା ଅଭିଯୋଗରେ ଆଇନ ଛାତ୍ରୀ ଗିରଫ; ବାପାଙ୍କ ମୃତ୍ୟୁ ପଛରେ ବି ଝିଅର ହାତ ଥିବା ଅଭିଯୋଗ!
ରାଜସ୍ଥାନର ଜୟପୁରରେ ଜଣେ ଆଇନ ଛାତ୍ରୀଙ୍କ ବିରୋଧରେ ନିଜ ମା’ଙ୍କୁ ହତ୍ୟା କରିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏବେ ପୋଲିସ ତାଙ୍କୁ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି। ଏହି ଘଟଣା ମଧ୍ୟରେ ଛାତ୍ରୀଙ୍କ ମାମୁଁ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ଗତବର୍ଷ ତାଙ୍କ ବାପାଙ୍କ ମୃତ୍ୟୁ ପଛରେ ମଧ୍ୟ ତାଙ୍କର ସମ୍ପୃକ୍ତି ଥାଇପାରେ। ପୋଲିସ ଏହି ଅଭିଯୋଗର ମଧ୍ୟ ଯାଞ୍ଚ ଆରମ୍ଭ କରିଛି।
ମୃତକ ନୀରଜ ଶର୍ମା ଜୟପୁର କୋର୍ଟରେ କ୍ଲାର୍କ ଭାବେ କାର୍ଯ୍ୟ କରୁଥିଲେ। ସ୍ୱାମୀ ବିଜୟ ଶର୍ମାଙ୍କ ମୃତ୍ୟୁ ପରେ ସେ ଅନୁକମ୍ପାମୂଳକ ନିଯୁକ୍ତି ପାଇଥିଲେ। ଜୁଲାଇ ୩ ତାରିଖରେ ନୀରଜ ଶର୍ମାଙ୍କୁ ଏକ ଏସ୍ୟୁଭି ଧକ୍କା ଦେଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଯୋଜନାବଦ୍ଧ ହତ୍ୟା ବୋଲି ପୋଲିସ ସନ୍ଦେହ କରିଛି। ଅଭିଯୋଗ ଅନୁସାରେ, ଅନ୍ତିମ ବର୍ଷର ଏଲ୍ଏଲ୍ବି ଛାତ୍ରୀ ଆୟୁଷୀ ନିଜ ସମ୍ପର୍କୀୟ ବଲରାମଙ୍କ ସହଯୋଗରେ ୭ ଲକ୍ଷ ଟଙ୍କାରେ ସୁପାରି କିଲର ନିଯୁକ୍ତ କରି ଏହି ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ସରକାରୀ ଚାକିରି ଓ ପରିବାରର ସମ୍ପତ୍ତି ହାତେଇବା ଉଦ୍ଦେଶ୍ୟରେ ଏହି ହତ୍ୟା କରାଯାଇଥିବା ପୋଲିସ କହିଛି।
ଏହି ମାମଲାରେ ଆୟୁଷୀଙ୍କ ମାମୁଁ ରାକେଶ ଶର୍ମା ଦାବି କରିଛନ୍ତି ଯେ, ଗତବର୍ଷ ମସ୍ତିଷ୍କଘାତରେ ଅସୁସ୍ଥ ହୋଇଥିବା ବିଜୟ ଶର୍ମାଙ୍କୁ ଆୟୁଷୀ ଓ ବଲରାମ ଏକ ଅଜଣା ହସ୍ପିଟାଲକୁ ନେଇ ପରିବାରକୁ ତିନି ମାସ ଧରି ସୂଚନା ଦେଇନଥିଲେ। ପରେ ଘରକୁ ଫେରାଇ ଆଣିବା ପରେ ତାଙ୍କର ଅନେକ ଅଙ୍ଗ ବିକଳ ହୋଇଯାଇଥିବା ଡାକ୍ତର କହିଥିଲେ। ଏପରିକି ଆୟୁଷୀ ତାଙ୍କ ବାପାଙ୍କ ଫିଡିଂ ଟ୍ୟୁବ୍ କାଢ଼ିଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ମାମୁଁ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗର ତଦନ୍ତ କରୁଥିବାବେଳେ ବଲରାମଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।

