ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା; ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ କିଆକଟା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ରାଉତପଡ଼ା ଗ୍ରାମ ନିକଟ ଆଠମଲ୍ଲିକ–ବୌଦ୍ଧ ୬୨ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଚଉଳିଆ ଫାର୍ମ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କନ୍ଧପଡ଼ା ଗ୍ରାମର ପ୍ରସାଦି ସାହୁଙ୍କ ପୁଅ ବୀରକିଶୋର ସାହୁ (୩୭ ) | ତାଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବାରୁ ଖପୁରୀ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କନ୍ଧପଡ଼ା ଗ୍ରାମର ପ୍ରଦୀପ ସାହୁ ଗତକାଲି ରାତି ପ୍ରାୟ ୮ଟା ସମୟରେ ବୀରକିଶୋରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ପରେ ଅଭିଯୁକ୍ତ ପ୍ରଦୀପ ଆଠମଲ୍ଲିକ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ତେବେ ଘଟଣାସ୍ଥଳ କିଆକଟା ଥାନା ଅଧୀନରେ ଥିବାରୁ ଆଠମଲ୍ଲିକ ପୁଲିସ ପକ୍ଷରୁ ସେଠାରେ ଖବର ଦିଆଯାଇଥିଲା।
ଖବର ପାଇ କିଆକଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନୁଗୁଳ ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି। ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। ମୃତକଙ୍କ ପ୍ୟାଣ୍ଟ ପକେଟରୁ ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଥିବାବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।

