ରୋହିତଙ୍କ ଅବସର ଗୁଜବକୁ ଖଣ୍ଡନ କଲା ବିସିସିଆଇ; ବଡ଼ ବୟାନ ଦେଲେ ଦେବଜିତ୍ ସାଇକିଆ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ସୋସିଆଲ୍ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରେ ମୁହଁ ଖୋଲିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)। ବିସିସିଆଇ ସଚିବ ଦେବଜିତ୍ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ, ରୋହିତ ଶର୍ମାଙ୍କ ଅବସରକୁ ନେଇ ପ୍ରଚାରିତ ଖବର ସମ୍ପୂର୍ଣ୍ଣ ଗୁଜବ। ସେ କହିଛନ୍ତି, ଲର୍ଡ୍ସରେ ହେବାକୁ ଥିବା ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ ରୋହିତଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ନୁହେଁ।
ଦ୍ୱିତୀୟ ଦିନିକିଆରେ ଭାରତର ପରାଜୟ ପରେ ରୋହିତଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଥିଲା। କେତେକ ରିପୋର୍ଟରେ ସେ ୨୦୨୭ ବିଶ୍ୱକପ୍ ଯୋଜନାରୁ ବାଦ ପଡ଼ିପାରନ୍ତି ଏବଂ ଶୀଘ୍ର ଅବସର ଘୋଷଣା କରିପାରନ୍ତି ବୋଲି ମଧ୍ୟ ଦାବି କରାଯାଇଥିଲା। ତେବେ ସାଇକିଆ ଏହି ସବୁ ଦାବିକୁ ଖଣ୍ଡନ କରି କହିଛନ୍ତି, ରୋହିତ ଏବେ ମଧ୍ୟ ଭାରତୀୟ ଦଳର ଯୋଜନାର ଅଂଶ ଅଛନ୍ତି ଏବଂ ଦଳର ଆବଶ୍ୟକତା ଅନୁଯାୟୀ ଦେଶ ପାଇଁ ଖେଳିବେ। ତାଙ୍କ ଅବସର ନେଇ ପ୍ରଚାରିତ ଖବରରେ କୌଣସି ସତ୍ୟତା ନାହିଁ।
ଅନ୍ୟପଟେ, ରୋହିତ ଶର୍ମାଙ୍କ ନିକଟତମ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଛି। ଗତ ୮ଟି ଦିନିକିଆ ମ୍ୟାଚ୍ରେ ସେ ୨୪୧ ରନ୍ କରିଥିବା ବେଳେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ଓ ବ୍ୟାଟିଂ ଆଭିମୁଖ୍ୟକୁ ନେଇ ମଧ୍ୟ ସମାଲୋଚନା ହେଉଛି। କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ, ୨୦୨୭ ବିଶ୍ୱକପ୍ ଦଳରେ ନିଜ ସ୍ଥାନ ସୁନିଶ୍ଚିତ କରିବାକୁ ହେଲେ ରୋହିତଙ୍କୁ ପୁଣିଥରେ ନିଜର ପୁରୁଣା ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀକୁ ପ୍ରଦର୍ଶନ କରିବାକୁ ପଡ଼ିବ। ତେବେ ବିସିସିଆଇର ସ୍ପଷ୍ଟ ବୟାନ ପରେ ରୋହିତଙ୍କ ଅବସରକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାରେ ଏକ ପ୍ରକାରର ପୂର୍ଣ୍ଣଛେଦ ପଡ଼ିଛି।

