ମାଲିକାନା ବିବାଦରେ ଅଧାରେ ଅଟକିଛି ପୋଲ କାମ, ଦୁର୍ଦ୍ଦଶା ଭୋଗୁଛନ୍ତି ସୁପାଡ଼ ଅଞ୍ଚଳବାସୀ।
କଳାହାଣ୍ଡି,୨୨/୦୭
କୋକସରା, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ଲଡୁଗାଁ ରୁ ସୁପାଡ଼ ଗ୍ରାମକୁ ସଂଯୋଗ କରୁଥିବା ଆର୍ଡି ରାସ୍ତାରେ ନିର୍ମାଣାଧୀନ ପୋଲ କାର୍ଯ୍ୟ ମାଲିକାନା ବିବାଦ ଯୋଗୁଁ ଦୀର୍ଘ ଦିନ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଫଳରେ ବର୍ଷା ଦିନରେ ଏହି ରାସ୍ତା ଦେଇ ଯାତାୟାତ କରିବା ଅଞ୍ଚଳବାସୀଙ୍କ ପାଇଁ ଦୁର୍ବିସହ ହୋଇପଡିଛି।
ସୂଚନାନୁସାରେ, କିଛି ମାସ ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ସୁପାଡ଼ ଗ୍ରାମ ନିକଟରେ ପୋଲ ନିର୍ମାଣ ସମୟରେ ଜଣେ ସ୍ଥାନୀୟ ମହିଳା ସମ୍ପୃକ୍ତ ଜମି ନିଜ ମାଲିକାନା ରେ ଥିବା ଦାବି କରି କାମ ବନ୍ଦ କରାଇଥିଲେ। ବିଭାଗୀୟ ଅଧିକାରୀ ସ୍ଥାନୀୟ ଲୋକମାନେ ବୁଝାସୁଝା କରିବା ସତ୍ତ୍ୱେ ମଧ୍ୟ ଜମି କ୍ଷତିପୂରଣ ଦାବି କରି ପୋଲ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିଦେଇଥିଲେ। ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋକସରା ତହସିଲଦାର ଏବଂ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇ ଜମି ବିବାଦର ସମାଧାନ ସହ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା।ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷ୍ୟା ଅଗ୍ରୱାଲ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସମସ୍ୟାର ସମାଧାନ ହୋଇନଥିବାରୁ ପୋଲ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଅଧାରେ ଅଟକି ରହିଛି। ବର୍ଷା ଯୋଗୁଁ ଡାଇଭର୍ସନ ରାସ୍ତା କାଦୁଅମୟ ହୋଇପଡ଼ିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଫଳରେ ସୁପାଡ଼ ଗ୍ରାମବାସୀଙ୍କୁ ପ୍ରାୟ ୮ରୁ ୧୦ କିଲୋମିଟର ବୁଲି ଗନ୍ତବ୍ୟସ୍ଥଳ କୁ ଯିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଜମି ବିବାଦର ସମାଧାନ ସହ ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

