କେବେ ସୁଧୁରିବ କୋକସରା ସହର ର ଡ୍ରେନେଜ ସମସ୍ୟା, ଡ୍ରେନ ଜବରଦଖଲ,ରାସ୍ତା ରେ ଆଣ୍ଠୁଏ ପାଣି, ଯାତାୟାତ ବାଧାପ୍ରାପ୍ତ।
କଳାହାଣ୍ଡି,୨୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କୋକସରା ଗ୍ରାମ ପଞ୍ଚାୟତ କୋକସରା ସହର ରେ ଡ୍ରେନେଜ ବ୍ୟବସ୍ଥା ଭୁଶୁଡି ପଡିଛି। ଡ୍ରେନ ଦେଇ ପାଣି ନିଷ୍କାସନ ନ ହେବାରୁ ବର୍ଷା ଦିନରେ ଜାତୀୟ ରାଜପଥ ଓ ଘର ଉପରେ ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳୁଛି। କୋକସରା ଗ୍ରାମ ବ୍ଲକ ର ମୁଖ୍ୟାଳୟ ହୋଇଥିବା ବେଳେ ଦୈନିକ ହଜାର ହଜାର ଲୋକେ ବ୍ଲକ ର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଉପରେ ନିର୍ଭର କରନ୍ତି ତେବେ ଗତ କିଛିଦିନ ଧରି ଜାରି ରହିଥିବା ଲଘୁଚାପଜନିତ ବର୍ଷା କାରଣରୁ ରାସ୍ତା ଦୁଇ ପାର୍ଶ୍ଵରେ ଥିବା ଡ୍ରେନ ଗୁଡିକ ଅନେକ ସ୍ଥାନରେ ପୋତି ହୋଇ ଯାଇଥିବା ବେଳେ କିଛି ବ୍ୟବସାୟୀ ଓ ଉଠା ଦୋକାନୀ ମାନେ ଡ୍ରେନ ଉପରେ ଦୋକାନ ବଜାର ଗଢି ବ୍ୟବସାୟ କରୁଛନ୍ତି, ଫଳରେ ଏହି ପୋତି ହୋଇ ପଡ଼ିଥିବା ଡ୍ରେନ ଦେଇ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଜାତୀୟ ରାଜପଥ ଓ ରାସ୍ତା କଡରେ ଥିବା ଘର ମଧ୍ୟ ଦେଇ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ଏଥିପାଇଁ ରାସ୍ତାରେ ଯାତାୟାତ କରୁଥିବା ଜନ ସାଧାରଣ ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ ସବୁ ଦେଖି ମଧ୍ୟ ଆଖି ବୁଜି ଦେଇଥିବା ବେଳେ ଏନେଇ କୋକସରା ପିଇଓ ଭବିଷ୍ୟତ ପଟେଲ ଙ୍କ ପ୍ରତିକ୍ରିୟା ନେବାରୁ ପଞ୍ଚାୟତ ପକ୍ଷରୁ ଡ୍ରେନ ସଫେଇ କାର୍ଯ୍ୟ ଜାରି ରହିଛି, କିଛି ଉଠା ଦୋକାନୀ ଡ୍ରେନ ଉପରେ ନିଜର ବ୍ୟବସାୟ ପ୍ରତିଷ୍ଠାନ କରିଥିବାରୁ ଡ୍ରେନ ସଫା ରେ ଅସୁବିଧା ହେଉଛି, ଏନେଇ ପଞ୍ଚାୟତ ପକ୍ଷରୁ ତହସିଲଦାର ଙ୍କୁ ରାସ୍ତା କଡରେ ଡ୍ରେନ ଉପରେ ଜବରଦଖଲ ଉଛେଦ କରିବା ପାଇଁ ଲିଖିତ ଅଭିଯୋଗ କରାଯାଇଛି। ଆର ଆଇ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ମଧ୍ୟ କରାଯାଇଛି କିନ୍ତୁ ଦୋକାନୀ ମାନେ ଅସହଯୋଗ କରୁଛନ୍ତି ଓ ଶିବ ମନ୍ଦିର ଛକ ରେ ଥିବା ପୋଲ ନିର୍ମାଣ ରେ ତ୍ରୁଟି କାରଣରୁ ପାଣି ନିଷ୍କାସନ ରେ ସମସ୍ୟା ଦେଖାଦେଇଛି ବୋଳି କହିଛନ୍ତି। ଏଦିଗରେ ତହସିଲଦାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ସଚେତନ ନାଗରିକ ମାନେ ଦାବି କରିଛନ୍ତି।

