Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଲେ ଅଜିଙ୍କେ ରାହାଣେ; ଭାବପ୍ରବଣ ପୋଷ୍ଟରେ ପ୍ରଶଂସକ, ସହଖେଳାଳି ଏବଂ କୋଚଙ୍କୁ ଜଣାଇଲେ ‘ଧନ୍ୟବାଦ’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଭିଜ୍ଞ ବ୍ୟାଟର ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଗତ କିଛି ବର୍ଷ ଧରି ସେ ଭାରତୀୟ ଦଳରୁ ବାହାରେ ଥିବାବେଳେ ଆସନ୍ତା ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ ପାଇଁ ମଧ୍ୟ ଦଳରେ ସ୍ଥାନ ପାଇନଥିଲେ। ଏହା ପରେ ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଇତି ଟାଣିଛନ୍ତି। ପୋଷ୍ଟରେ ସେ ଭାରତ ପାଇଁ ଖେଳିବାକୁ ଜୀବନର ସବୁଠାରୁ ବଡ଼ ସମ୍ମାନ ବୋଲି କହିବା ସହ ସମସ୍ତ ପ୍ରଶଂସକ, ସହଖେଳାଳି ଏବଂ କୋଚଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅଜିଙ୍କେ ରାହାଣେ ୨୦୧୧ରେ ଟି-୨୦ ଫର୍ମାଟରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବାବେଳେ ୨୦୧୧ରେ ଦିନିକିଆ ଏବଂ ୨୦୧୩ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ଟେଷ୍ଟ କ୍ରିକେଟରେ ସେ ୮୫ଟି ମ୍ୟାଚ ଖେଳି ୫,୦୭୭ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ୧୨ଟି ଶତକ ଓ ୨୬ଟି ଅର୍ଦ୍ଧଶତକ ରହିଛି। ଦିନିକିଆରେ ୯୦ଟି ମ୍ୟାଚରୁ ୨,୯୬୨ ରନ ଏବଂ ଟି-୨୦ରେ ୨୦ଟି ମ୍ୟାଚରୁ ୩୭୫ ରନ କରିଥିଲେ। ଦୀର୍ଘ ସମୟ ଧରି ଭାରତର ମଧ୍ୟକ୍ରମକୁ ମଜବୁତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।

ରାହାଣେ ମୋଟ ୬ଟି ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ୪ଟି ମ୍ୟାଚ ଜିତିଥିବାବେଳେ ୨ଟି ଡ୍ର ହୋଇଥିଲା ଏବଂ ଗୋଟିଏ ମ୍ୟାଚ ମଧ୍ୟ ହାରିନଥିଲା। ବିଶେଷକରି ୨୦୨୦-୨୧ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ମାଟିରେ ଭାରତକୁ ଐତିହାସିକ ବିଜୟ ଦେଇଥିବା ଅଧିନାୟକ ଭାବେ ସେ ସବୁବେଳେ ସ୍ମରଣୀୟ ରହିବେ। ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ ମଧ୍ୟ ସେ ଆଗାମୀ ଦିନରେ ଘରୋଇ କ୍ରିକେଟ ଏବଂ ଖେଳ ସହ ଜଡ଼ିତ ରହିବେ ବୋଲି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories