କଲମପୁରରେ ଅଭାବନୀୟ ଘଟଣା: ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ, ଅଭିଯୁକ୍ତ ଅଟକ।
କଳାହାଣ୍ଡି,୦୬/୦୮: କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ମୃତକ ହେଲେ ଆଲୋକ ରଞ୍ଜନ ଗହିର (୨୦)। ଅଭିଯୋଗ ଅନୁଯାୟୀ, ତାଙ୍କ ବାପା ମାନସିଂ ଗହିର (୫୫) ଗାଡ଼ି ଚଳାଇବାକୁ ଯିବା ପରେ ପୁଅଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ରାଗରେ କାଠ ଫାଳିଆରେ ଆଲୋକଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ରହିଛି।
ଗୁରୁତର ଆହତ ଆଲୋକଙ୍କୁ ତାଙ୍କ ବଡ଼ ଭାଇ ଦୀପକ ରଞ୍ଜନ ଗହିର ଓ ପରିବାର ସଦସ୍ୟମାନେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଡା. ଆଶୁତୋଷ ପରିଡ଼ା ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲ ପକ୍ଷରୁ କଲମପୁର ପୁଲିସକୁ ସୂଚନା ଦିଆଯାଇଥିଲା।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପା ମାନସିଂ ଗହିରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୁଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା 103(1) ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

