ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ କୁ ନେଇ ବଡ଼ ଘୋଷଣା, ଗାଲେ ଓ କଲମ୍ବୋରେ ମାଗଣାରେ ମ୍ୟାଚ୍ ଦେଖିପାରିବେ ଦର୍ଶକ!
ନୂଆଦିଲ୍ଲୀ: ଭାରତ ବିପକ୍ଷ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଶ୍ରୀଲଙ୍କା କ୍ରିକେଟ୍ (SLC) ବଡ଼ ପଦକ୍ଷେପ ନେଇଛି। ଷ୍ଟାଡିୟମ୍ରେ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ସିରିଜ୍ରେ ସାଧାରଣ ଦର୍ଶକଙ୍କ ପାଇଁ ପ୍ରବେଶ ଫିକୁ ସମ୍ପୂର୍ଣ୍ଣ ମାଗଣା କରିଛି । ଭାରତୀୟ ଦଳ ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ଏହି ହାଇପ୍ରୋଫାଇଲ୍ ସିରିଜ୍ ଖେଳିବ। ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଗାଲେ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଏବଂ ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୨୩ରୁ ୨୭ ପର୍ଯ୍ୟନ୍ତ କଲମ୍ବୋର ଏସ୍ଏସ୍ସି ଗ୍ରାଉଣ୍ଡରେ ଖେଳାଯିବ।
ଦର୍ଶକଙ୍କ ପାଇଁ ପ୍ରବେଶ ବ୍ୟବସ୍ଥା ମଧ୍ୟ ସ୍ପଷ୍ଟ କରିଛି ଶ୍ରୀଲଙ୍କା କ୍ରିକେଟ୍। ଗାଲେରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ଗେଟ୍ ନମ୍ବର ୪ ଦେଇ ଦର୍ଶକ ମାଗଣାରେ ଷ୍ଟାଡିୟମ୍ରେ ପ୍ରବେଶ କରିପାରିବେ। ସେହିପରି କଲମ୍ବୋର ଏସ୍ଏସ୍ସି ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ପାଇଁ ଗେଟ୍ ନମ୍ବର ୩, ୪, ୫ ଓ ୭ ଖୋଲା ରହିବ। ଟେଷ୍ଟ କ୍ରିକେଟ୍ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ାଇବା ଏବଂ ପରିବାର ସହ ଦର୍ଶକଙ୍କୁ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିବାର ସୁଯୋଗ ଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦୁଇ ମ୍ୟାଚ୍ ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଚକ୍ରର ଅଂଶ।
ଅନ୍ୟପକ୍ଷରେ ଭାରତର ଶ୍ରୀଲଙ୍କା ଗସ୍ତ ଏକ ତିନିଦିନିଆ ଅଭ୍ୟାସ ମ୍ୟାଚ୍ରୁ ଆରମ୍ଭ ହୋଇଛି। କଲମ୍ବୋର ଏନ୍ସିସି ଗ୍ରାଉଣ୍ଡରେ ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଭାରତ ଖେଳୁଥିବା ଅଭ୍ୟାସ ମ୍ୟାଚ୍ରେ ଶୁଭମନ ଗିଲ୍ ଆଙ୍ଗୁଠିରେ ସାମାନ୍ୟ ଆଘାତ କାରଣରୁ ଖେଳିନଥିବାରୁ କେଏଲ୍ ରାହୁଲ ଦଳର ନେତୃତ୍ୱ ନେଇଛନ୍ତି। ପ୍ରଥମ ଦିନରେ ଶ୍ରୀଲଙ୍କା ଏକାଦଶ ୮ ୱିକେଟ୍ ହରାଇ ୩୬୩ ରନ୍ କରିଛି। ନିଶାନ ମଦୁଷ୍କା ୬୬ ଏବଂ ରବିନ୍ଦୁ ରସାନ୍ଥା ୭୧ ରନ୍ କରିଥିବାବେଳେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ମାନବ ସୁଥାର ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।

