ଅଗରକରଙ୍କ ପଦକୁ ନେଇ ବଢ଼ିଲା ଚର୍ଚ୍ଚା, ଚିଫ୍ ସିଲେକ୍ଟର ଦୌଡ଼ରୁ ଓହରିଲେ ଲକ୍ଷ୍ମଣ!
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଚୟନକୁ ନେଇ ବିସିସିଆଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଦଳରେ କାହାକୁ ସୁଯୋଗ ମିଳିବ ଓ କିଏ ବାଦ୍ ପଡ଼ିବ, ତାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ନେବା ପରେ ଟିମ୍ ଇଣ୍ଡିଆ ସୀମିତ ଓଭର କ୍ରିକେଟ୍ରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ ଟେଷ୍ଟରେ ଦଳର ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାରି ମଧ୍ୟରେ ଅଗରକରଙ୍କ ଭବିଷ୍ୟତ ଓ ତାଙ୍କ ପରେ ମୁଖ୍ୟ ଚୟନକର୍ତ୍ତା କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିଛି।
ଅଗରକରଙ୍କୁ ନେଇ କାହିଁକି ଚର୍ଚ୍ଚା?
ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଟିମ୍ ଇଣ୍ଡିଆକୁ ଅନେକ ବଡ଼ ସଫଳତା ଦେଇଛି। ଭାରତ ଦୁଇଟି ଟି-୨୦ ବିଶ୍ୱକପ୍ ଓ ଗୋଟିଏ ଚାମ୍ପିଅନ୍ସ ଟ୍ରଫି ଜିତିବା ସହ ୨୦୨୩ ଦିନିକିଆ ବିଶ୍ୱକପ୍ର ଫାଇନାଲରେ ମଧ୍ୟ ପହଞ୍ଚିଥିଲା। ଏହା ସହ ଅନେକ ଯୁବ ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ଦେଇ ଚୟନ କମିଟି ନୂଆ ପ୍ରତିଭାଙ୍କୁ ଆଗକୁ ଆଣିଛି। ତେବେ ଟେଷ୍ଟ କ୍ରିକେଟ୍ରେ ଦଳର ନିକଟତମ ପ୍ରଦର୍ଶନ ଏବଂ କିଛି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ଅଗରକରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି।
ଲକ୍ଷ୍ମଣଙ୍କୁ ନେଇ ହୋଇଥିଲା ଚର୍ଚ୍ଚା
ଅଗରକରଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଟେଷ୍ଟ ତାରକା ଭିଭିଏସ୍ ଲକ୍ଷ୍ମଣଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଲକ୍ଷ୍ମଣ ଏବେ ମୁଖ୍ୟ ଚୟନକର୍ତ୍ତା ପଦ ଗ୍ରହଣ କରିବାକୁ ଆଗ୍ରହୀ ନୁହଁନ୍ତି। ସେ ବିସିସିଆଇକୁ ନିଜ ଆଭିମୁଖ୍ୟ ବିଷୟରେ ଜଣାଇଥିବା କୁହାଯାଉଛି। ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ନିଜ ଦାୟିତ୍ୱ ଜାରି ରଖିବାକୁ ଚାହୁଁଥିବା ଖବର ରହିଛି। ତାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୨୬ ଶେଷ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି। ଏପରି ସ୍ଥିତିରେ ଅଗରକରଙ୍କ କାର୍ଯ୍ୟକାଳ ବଢ଼ିବ କି ନୂଆ ଚୟନକର୍ତ୍ତା ଖୋଜିବ ବିସିସିଆଇ, ତାହା ଉପରେ ଏବେ ନଜର ରହିଛି।

