ବଡ଼ ଦାୟିତ୍ୱ ପାଇପାରନ୍ତି VVS ଲକ୍ଷ୍ମଣ! BCCIର ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ପଦ ପାଇଁ ଜୋର ଧରିଛି ଚର୍ଚ୍ଚା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ପୂର୍ବତନ ବ୍ୟାଟର୍ ତଥା BCCI ସେଣ୍ଟର ଅଫ୍ ଏକ୍ସଲେନ୍ସର ମୁଖ୍ୟ VVS ଲକ୍ଷ୍ମଣଙ୍କୁ ଭାରତୀୟ କ୍ରିକେଟ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। BCCIରେ ଆସନ୍ତା ସେପ୍ଟେମ୍ବରରେ କିଛି ପ୍ରମୁଖ ପଦରେ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟରେ ଲକ୍ଷ୍ମଣଙ୍କୁ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ BCCI ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ସେହିପରି ସିନିୟର ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବାକୁ ଥିବାରୁ ତାଙ୍କ କାର୍ଯ୍ୟକାଳ ୨୦୨୭ ଜୁନ୍ ପର୍ଯ୍ୟନ୍ତ ବଢ଼ାଯିବା ନେଇ ମଧ୍ୟ ଚର୍ଚ୍ଚା ରହିଛି।
ଯଦି ଲକ୍ଷ୍ମଣଙ୍କ ନୂଆ ଦାୟିତ୍ୱ ଚୂଡ଼ାନ୍ତ ହୁଏ, ତେବେ ଏହା ତାଙ୍କ ବର୍ତ୍ତମାନର ଭୂମିକାକୁ ଆହୁରି ବ୍ୟାପକ କରିବ। ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ସେ ଖେଳାଳିଙ୍କ ବିକାଶ ଓ ହାଇ-ପରଫର୍ମାନ୍ସ ପ୍ରୋଗ୍ରାମ୍ର ତଦାରଖ କରୁଛନ୍ତି। ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଭାବେ ତାଙ୍କ ଦାୟିତ୍ୱ ସିନିୟର ଟିମ୍, ଚୟନକର୍ତ୍ତା, କୋଚିଂ ଷ୍ଟାଫ୍, ସେଣ୍ଟର ଅଫ୍ ଏକ୍ସଲେନ୍ସ ଓ ଯୁବ ଖେଳାଳିଙ୍କ ବିକାଶ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରଖିବା ଭଳି ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ହୋଇପାରେ। ଏହା ମାଧ୍ୟମରେ ଟିମ୍ ଇଣ୍ଡିଆର ପ୍ରତିଭା ଚିହ୍ନଟ, ଖେଳାଳି ବିକାଶ ଓ ହାଇ-ପରଫର୍ମାନ୍ସ ପ୍ଲାନିଂରେ ଅଧିକ ସମନ୍ୱୟ ଆସିପାରେ।
ଜାତୀୟ ଦଳ ସହ ଲକ୍ଷ୍ମଣଙ୍କ ଘନିଷ୍ଠ ସମ୍ପର୍କ ମଧ୍ୟ ରହିଛି। ଆବଶ୍ୟକତା ଅନୁସାରେ ସେ ଅନ୍ତରୀଣ କୋଚ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ନିକଟରେ ଜିମ୍ବାୱେ ବିପକ୍ଷ T20I ସିରିଜ୍ରେ ସେ ଯୁବ ଭାରତୀୟ ଦଳକୁ ୩-୦ରେ ବିଜୟୀ କରାଇଥିଲେ। ୨୦୨୪ରେ ରାହୁଲ ଦ୍ରାବିଡଙ୍କ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ହେବା ପରିବର୍ତ୍ତେ ଲକ୍ଷ୍ମଣ ସେଣ୍ଟର ଅଫ୍ ଏକ୍ସଲେନ୍ସର ଦାୟିତ୍ୱ ଜାରି ରଖିଥିଲେ। ଏବେ ଯଦି ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ପଦ ଚୂଡ଼ାନ୍ତ ହୁଏ, ତେବେ ଭାରତୀୟ କ୍ରିକେଟ୍ର ଏକାଧିକ ପ୍ରମୁଖ ବିଭାଗକୁ ଏକାଠି କରିବାରେ ଲକ୍ଷ୍ମଣଙ୍କ ଭୂମିକା ଆହୁରି ବଢ଼ିଯିବ।

