Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ratna Bhandar Inventory: ଅଗଷ୍ଟ ୩୧ରୁ ପୁଣି ରତ୍ନଭଣ୍ଡାରରେ ଗଣତିମଣତି, ୨ ଦିନ ଚାଲିବ ପ୍ରକ୍ରିୟା

ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଦୁର୍ମୂଲ୍ୟ ରତ୍ନ ଓ ଅଳଙ୍କାରର ଗଣତିମଣତି। ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଦୁଇ ଦିନ ଧରି ଏହି ପ୍ରକ୍ରିୟା ଚାଲିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଦୁଇ ଦିନ ଗଣତିମଣତି କରାଯିବ। ଏହି ସମୟରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍‌ଓପିକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଗଣତିମଣତି ଯୋଗୁଁ ଶ୍ରଦ୍ଧାଳୁଙ୍କ ଦର୍ଶନ ସମୟ କିଛି ସମୟ ପାଇଁ କମିପାରେ ବୋଲି ମୁଖ୍ୟ ପ୍ରଶାସକ କହିବା ସହ ସମସ୍ତ ସେବକ ଓ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଛନ୍ତି।

ରତ୍ନଭଣ୍ଡାର ଅନ୍ତର୍ଗତ ଚଳନ୍ତି ଭଣ୍ଡାରର ଗଣତିମଣତି ସରିଥିବା ବେଳେ ବାହାର ରତ୍ନଭଣ୍ଡାରର ଗଣତିମଣତି ମଧ୍ୟ ପ୍ରାୟ ଶେଷ ହୋଇଛି। ଏବେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି କରାଯାଉଛି। ଉଚ୍ଚସ୍ତରୀୟ ତଦାରଖ ଦଳଙ୍କ ତତ୍ତ୍ୱାବଧାନରେ ହେବାକୁ ଥିବା ଏହି ପ୍ରକ୍ରିୟାରେ ଆର୍‌ବିଆଇର ବିଶେଷଜ୍ଞ, ଜେମୋଲୋଜିଷ୍ଟ ଓ ଫଟୋଗ୍ରାଫରଙ୍କୁ ନିୟୋଜିତ କରାଯିବ। ଗଣତିମଣତି ସମୟରେ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ୩ଡି ମ୍ୟାପିଂ କରାଯିବ। ସମସ୍ତ ରତ୍ନ ଅଳଙ୍କାରକୁ ଦୁଇରୁ ତିନି ପରସ୍ତ ଆବରଣରେ ସୁରକ୍ଷିତ ଭାବେ ସିନ୍ଦୁକରେ ରଖାଯିବ। ୧୯୭୮ ମସିହାର ଗଣତିମଣତି ସମୟରେ ଜେମୋଲୋଜିଷ୍ଟ ନିୟୋଜିତ ହୋଇନଥିବାରୁ ଏଥର ସେମାନଙ୍କୁ ସାମିଲ କରାଯାଇଛି। ଶ୍ରୀମନ୍ଦିର ଓ ବ୍ୟାଙ୍କର ବଣିଆଙ୍କ ସହ ଜେମୋଲୋଜିଷ୍ଟମାନେ ଅଳଙ୍କାରଗୁଡ଼ିକର ସମ୍ପୂର୍ଣ୍ଣ ପରିଚୟ ନିର୍ଦ୍ଧାରଣ କରିବେ।

ଗଣତିମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି କୌଣସି ପରିସ୍ଥିତିରେ ପ୍ରଭାବିତ ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ରତ୍ନଗୁଡ଼ିକୁ ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏସ୍‌ଓପି ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଛି। ଗଣତିମଣତି ପ୍ରକ୍ରିୟାରେ ନିୟୋଜିତ ବିଶେଷଜ୍ଞମାନେ ନିଜର ଅଭିଜ୍ଞତା ଓ କୁଶଳତା ବ୍ୟବହାର କରି ରତ୍ନ ଅଳଙ୍କାରର ପରିଚୟ ନିର୍ଦ୍ଧାରଣ କରିବେ। ଏହି ସମଗ୍ର ପ୍ରକ୍ରିୟାକୁ ନିରାପଦ, ସ୍ୱଚ୍ଛ ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ