Amazon Layoffs: ଆମାଜନ୍ର ଡିଭାଇସ୍ ୟୁନିଟ୍ରୁ ୨୫୦ କର୍ମଚାରୀ ଛଟେଇ, Kindle ଓ Echo ଟିମ୍ ପ୍ରଭାବିତ
ନୂଆଦିଲ୍ଲୀ: ଇ-କମର୍ସ ଓ ଟେକ୍ନୋଲୋଜି କମ୍ପାନୀ ଆମାଜନ୍ରେ ପୁଣି ଛଟେଇ ହୋଇଛି। ବୁଧବାର କମ୍ପାନୀର ଡିଭାଇସ୍ ୟୁନିଟ୍ରୁ ପ୍ରାୟ ୨୫୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବାଦ୍ ଦିଆଯାଇଛି। ଏହି ଛଟେଇର ପ୍ରଭାବ Kindle ଇ-ରିଡର୍ ଓ Echo ସ୍ମାର୍ଟ ସ୍ପିକର୍ ଭଳି ଉତ୍ପାଦ ସହ ଜଡ଼ିତ ଟିମ୍ ଉପରେ ପଡ଼ିଛି। ବିଶେଷକରି ସଫ୍ଟୱେର ଡେଭଲପମେଣ୍ଟ ସମ୍ବନ୍ଧୀୟ ପଦବୀଗୁଡ଼ିକ ଏହାଦ୍ୱାରା ପ୍ରଭାବିତ ହୋଇଛି।
ରଏଟର୍ସର ରିପୋର୍ଟ ଅନୁସାରେ, ପ୍ରଭାବିତ କର୍ମଚାରୀମାନଙ୍କୁ ବୁଧବାର ସକାଳେ ଇମେଲ୍ ଓ ଟେକ୍ସଟ୍ ମେସେଜ୍ ମାଧ୍ୟମରେ ଛଟେଇ ବିଷୟରେ ସୂଚନା ଦିଆଯାଇଥିଲା। ଆମାଜନ୍ର ଉପାଧ୍ୟକ୍ଷ ଚେରି ରବିନ୍ସନ୍ ଏକ ଇମେଲ୍ରେ କମ୍ପାନୀର ସାଂଗଠନିକ ଢାଞ୍ଚାର ସମୀକ୍ଷା ପରେ କିଛି ପଦବୀ ହଟାଇବାକୁ ପଡ଼ିଥିବା କହିଥିଲେ। ତେବେ ଆମାଜନ୍ର ଡିଭାଇସ୍ ଟିମ୍ ବିଶ୍ୱସ୍ତରରେ କାମ କରୁଥିବାରୁ କେଉଁ କେଉଁ ଦେଶର କର୍ମଚାରୀ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।
ଆମାଜନ୍ ମଧ୍ୟ ଛଟେଇ ହୋଇଥିବା କଥା ସ୍ୱୀକାର କରିଛି। କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଯେ, କିଛି ପଦବୀ ହଟାଇବା ଏକ କଠିନ ନିଷ୍ପତ୍ତି ଥିଲା। ତେବେ କମ୍ପାନୀର ଅଧିକାରିକ ବିବୃତିରେ ଛଟେଇ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ଉଲ୍ଲେଖ କରାଯାଇନାହିଁ। ରଏଟର୍ସ ରିପୋର୍ଟ ଅନୁସାରେ ପ୍ରାୟ ୨୫୦ ଜଣ କର୍ମଚାରୀ ପ୍ରଭାବିତ ହୋଇଥିବା କୁହାଯାଇଛି।

