Puri Ratna Bhandar: ଆଜିଠୁ ଦୁଇ ଦିନ ରତ୍ନଭଣ୍ଡାର ଗଣତି, ଯାଞ୍ଚ ହେବ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ହିସାବ
ପୁରୀ: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଅଳଙ୍କାର ଓ ସାମଗ୍ରୀର ଗଣତି ଆଜିଠାରୁ ଆରମ୍ଭ ହେଉଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ଗଣତି ଓ ଯାଞ୍ଚ ପ୍ରକ୍ରିୟା ଚାଲିବ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଏହି କାର୍ଯ୍ୟ ସମ୍ପନ୍ନ କରିବ ବୋଲି ସୂଚନା ଦିଆଯାଇଛି।
ଗଣତି ସମୟରେ ରତ୍ନଭଣ୍ଡାରରେ ରହିଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ହିସାବ ଯାଞ୍ଚ କରାଯିବ। ଏଥିସହ ପୂର୍ବରୁ ରେକର୍ଡରେ ଥିବା ତଥ୍ୟ ସହ ବର୍ତ୍ତମାନର ସାମଗ୍ରୀର ତଥ୍ୟ ମେଳ କରାଯିବ। ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏବେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଗଣତି କରାଯିବାକୁ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣତି କାର୍ଯ୍ୟରେ ସମସ୍ତ ସେବକ ଓ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରାଯାଇଛି। ଗଣତି ସମୟରେ ଶୃଙ୍ଖଳା ବଜାୟ ରଖିବା ସହ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଚାଲିଥିବା ପ୍ରକ୍ରିୟାକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ରତ୍ନଭଣ୍ଡାର ଗଣତିକୁ ନେଇ ଶ୍ରୀମନ୍ଦିର ସେବକ ଓ ଭକ୍ତମହଲରେ ମଧ୍ୟ ଉତ୍ସୁକତା ବଢ଼ିଛି।

