Talcher Crime: ତାଳଚେରରେ ଚାଞ୍ଚଲ୍ୟ, ଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରାମାଡ଼; ଜଣେ ମୃତ ଅନ୍ୟ ଜଣେ ଗୁରୁତର
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରାମାଡ଼କୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗଣେଶ ବିହାର ଅଞ୍ଚଳର ଏକ ଭଡ଼ା ଘରେ କୌଣସି କାରଣକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ବିବାଦ ଉଗ୍ରରୂପ ନେବାରୁ ଉଭୟଙ୍କ ମଧ୍ୟରେ ଛୁରୀ ଭୁସାଭୁସି ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ତାଳଚେର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଡ଼ା ଘରର କବାଟ ଭାଙ୍ଗି ପୁଲିସ ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ପ୍ରାଥମିକ ସୂଚନା ଅନୁସାରେ, ମୃତକ ଓ ଆହତ ଉଭୟ ରେଲୱେ କର୍ମଚାରୀ ବୋଲି ଜଣାପଡ଼ିଛି।
ତେବେ ଦୁଇ ସାଙ୍ଗଙ୍କ ମଧ୍ୟରେ କେଉଁ କାରଣରୁ ବିବାଦ ହୋଇଥିଲା ଏବଂ କେଉଁ ପରିସ୍ଥିତିରେ ଛୁରାମାଡ଼ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

