Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୯ରେ ‘OJC’ ଟିକେଟ୍‌ରେ ଲଢ଼ିବେ କି ସୋଫିଆ? ମୋକିମଙ୍କ ଦାବି ପରେ ଭକ୍ତଙ୍କ କଡ଼ା ପ୍ରତିକ୍ରିୟା,କହିଲେ- ଅନ୍ୟ ଦଳରୁ ଲଢ଼ିବେ ତ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ…

ଭୁବନେଶ୍ୱର: ଓଡ଼ିଶା ଜନତା କଂଗ୍ରେସ (OJC)ରୁ ସୋଫିଆ ଫିର୍ଦ୍ଦୋସ ୨୦୨୯ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ନେଇ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କଡ଼ା ପ୍ରତିକ୍ରିୟା ଆସିଛି। ଭକ୍ତ ଦାସ କହିଛନ୍ତି, ସୋଫିଆ ଯଦି ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇସାରିଛନ୍ତି, ତେବେ ସେ କଂଗ୍ରେସରୁ ଇସ୍ତଫା ଦେବା ଉଚିତ। ଗୋଟିଏ ଦଳରେ ରହି ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବା କଥା କହିବା ନୈତିକ ଦୃଷ୍ଟିରୁ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ତେଣୁ ସୋଫିଆ ଯଦି କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି, ତେବେ ଦଳ ଛାଡ଼ି ଅନ୍ୟ ଦଳକୁ ଯିବା ଉଚିତ ବୋଲି ଭକ୍ତ ଦାସ କହିଛନ୍ତି।

ତେବେ ପୂର୍ବତନ ବିଧାୟକ ତଥା ଓଡ଼ିଶା ଜନତା କଂଗ୍ରେସ (ଓଜେସି)ର ନେତା ମହମ୍ମଦ ମୋକିମ୍‌ଙ୍କ ଏକ ମନ୍ତବ୍ୟ ପରେ ଏଭଳି ପ୍ରତିକ୍ରିୟା ଆଲୋଚନାର ପରିଚାରକୁ ଆସିଛି | ମୋକିମଙ୍କ ଦାବି ଅନୁଯାୟୀ, ୨୦୨୯ରେ ସୋଫିଆ କଂଗ୍ରେସ ଟିକେଟ୍‌ରେ ନୁହେଁ, ବରଂ ଓଜେସି ପକ୍ଷରୁ ବାରବାଟୀ-କଟକ ଆସନରୁ ନିର୍ବାଚନ ଲଢ଼ିବେ। ମୋକିମଙ୍କ ଏହି ବୟାନ ପରେ ସୋଫିଆ କଂଗ୍ରେସ ଛାଡ଼ିବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

କେବଳ ଏତିକି ନୁହେଁ, ମୋକିମ୍ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ ଦଳର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। କଂଗ୍ରେସରେ ପୂର୍ବଭଳି ନୀତି, ଆଦର୍ଶ ଓ ଶୃଙ୍ଖଳା ଆଉ ନଥିବା ସେ ଅଭିଯୋଗ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସ୍ତରରେ ନେତୃତ୍ୱର ତ୍ରୁଟି ସହ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଓ ଗୋଡ଼ ଟଣାଟଣି ଯୋଗୁଁ କଂଗ୍ରେସ ଦୁର୍ବଳ ହୋଇପଡ଼ିଥିବା ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ୨୦୨୯ରେ ସୋଫିଆଙ୍କ ରାଜନୈତିକ ଭୂମିକା କ’ଣ ରହିବ, ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ତେବେ ମୋକିମଙ୍କ ଦାବି ଉପରେ ସୋଫିଆ ଫିର୍ଦ୍ଦୋସଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବୟାନ ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ