SC-ST Students Relief: ମେଡିକାଲ-ଇଞ୍ଜିନିୟରିଂ Admissionରେ ୬ ମାସ ଯାଏଁ ଫି’ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି
ରାଜ୍ୟର ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଗରିବ ଓ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ରାଜ୍ୟ ସରକାର। ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ସମୟରେ ଏବଂ ଆଡ୍ମିଶନର ପ୍ରଥମ ୬ ମାସ ପର୍ଯ୍ୟନ୍ତ ଏହି ବର୍ଗର ଛାତ୍ରୀଛାତ୍ରଙ୍କୁ ଟ୍ୟୁଶନ ଫି’ କିମ୍ବା ଅନ୍ୟ କୌଣସି ଦେୟ ଜମା କରିବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏହି ନିଷ୍ପତ୍ତି ନେଇଛନ୍ତି।
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବା ପରେ ମଧ୍ୟ ଅନେକ ଗରିବ SC-ST ଛାତ୍ରୀଛାତ୍ର ନାମଲେଖା ସମୟରେ ଆବଶ୍ୟକ ଫି’ ଦେଇନପାରିବାରୁ ଆର୍ଥିକ ସମସ୍ୟାର ସାମ୍ନା କରୁଥିଲେ। ସେମାନେ ସାଧାରଣତଃ ପୋଷ୍ଟ-ମାଟ୍ରିକ୍ ସମେତ ବିଭିନ୍ନ ସରକାରୀ ସ୍କଲାରଶିପ୍ ପାଇଥାନ୍ତି। କିନ୍ତୁ ସ୍କଲାରଶିପ୍ ପ୍ରକ୍ରିୟା ଶେଷ ହୋଇ ଟଙ୍କା ମିଳିବାକୁ ପ୍ରାୟ ୩ରୁ ୪ ମାସ ସମୟ ଲାଗୁଥିବାରୁ ଆଡ୍ମିଶନ ସମୟରେ ଅସୁବିଧା ହେଉଥିଲା। ନୂଆ ବ୍ୟବସ୍ଥା ଅନୁଯାୟୀ, ଏବେ ଛାତ୍ରୀଛାତ୍ରମାନେ ସ୍କଲାରଶିପ୍ ଟଙ୍କା ପାଇବା ପରେ ନିଜ ସୁବିଧା ଅନୁସାରେ ଆଡ୍ମିଶନ ଓ ଟ୍ୟୁଶନ ଫି’ ଜମା କରିପାରିବେ।
ଏହି ନିଷ୍ପତ୍ତି ଫଳରେ ଅନେକ ଗରିବ ଓ ମେଧାବୀ SC-ST ଛାତ୍ରୀଛାତ୍ର ଉପକୃତ ହେବେ। ଆର୍ଥିକ ଅସୁବିଧା ଯୋଗୁଁ ମେଡିକାଲ କିମ୍ବା ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାର ସୁଯୋଗ ହାତଛଡ଼ା ନହେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଖୁବ୍ଶୀଘ୍ର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା (Guideline) ଜାରି କରିବେ।

