PUCC Fine: ଓଡ଼ିଶାରେ କମିଲା ପ୍ରଦୂଷଣ ଜରିମାନା, ଜାଣନ୍ତୁ କେଉଁ ଗାଡ଼ି ପାଇଁ କେତେ ଫାଇନ୍ ଦେବାକୁ ପଡିବ…
ଭୁବନେଶ୍ୱର: ରାଜ୍ୟରେ କମିଲା PUCC (Pollution Under Control Certificate) ଜରିମାନା। ଏହା ଦ୍ୱାରା ଗାଡ଼ି ମାଲିକ ଓ ଚାଳକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମୋଟରଯାନ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ନଥିଲେ ଲାଗୁଥିବା ସର୍ବାଧିକ ୧୦ ହଜାର ଟଙ୍କାର ଜରିମାନାକୁ ଏବେ ୬ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ୨୦୧୯ରେ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ଜରିମାନା ରାଶିରେ ଏହି ସଂଶୋଧନ କରାଯାଇଛି।
ନୂଆ ନିୟମ ଅନୁଯାୟୀ, ମୋଟରସାଇକେଲ୍ ଓ ତିନିଚକିଆ ଯାନ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି କାର୍ କିମ୍ବା ଜିପ୍ ପାଇଁ ପ୍ରଥମ ଥର ୨ ହଜାର ଓ ଦ୍ୱିତୀୟ ଥର ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଟ୍ରାକ୍ଟର ଓ ଟ୍ରେଲର ପାଇଁ ପ୍ରଥମ ଥର ୨ ହଜାର ଏବଂ ଦ୍ୱିତୀୟ ଥର ୫ ହଜାର ଟଙ୍କା ଫାଇନ୍ ଲାଗିବ। ଅନ୍ୟାନ୍ୟ ଯାନ ପାଇଁ ପ୍ରଥମ ଥର ୩ ହଜାର ଓ ଦ୍ୱିତୀୟ ଥର ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ଏହାସହ ୯୦ ଦିନରୁ ଅଧିକ ସମୟ ଧରି ଇ-ଚାଲାଣ ବକେୟା ରହିଥିଲେ PUCC କରାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେଣୁ ଗାଡ଼ି ମାଲିକମାନେ ନିଜ ଯାନର PUCC ସାର୍ଟିଫିକେଟ୍ ସମୟସୀମା ଯାଞ୍ଚ କରିବା ସହ ବକେୟା ଇ-ଚାଲାଣ ଥିଲେ ତାହା ପରିଶୋଧ କରିବା ଆବଶ୍ୟକ। ନୂଆ ଜରିମାନା ବ୍ୟବସ୍ଥା ଫଳରେ PUCC ନିୟମ ଉଲ୍ଲଂଘନରେ ଗାଡ଼ି ମାଲିକଙ୍କ ଉପରେ ପଡ଼ୁଥିବା ଆର୍ଥିକ ଚାପ କିଛି ମାତ୍ରାରେ କମିବ।

