Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ODISHA DGP SELECTION: ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା, ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ହେବାକୁ ଥିବାବେଳେ ଏହାକୁ ସେପ୍ଟେମ୍ବର ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆସନ୍ତା ୭ ତାରିଖରେ ମାମଲାର ଶୁଣାଣି କରିବେ। ମୁଖ୍ୟତଃ ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ପ୍ରକାଶ ସିଂହ ରାୟରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରାଯାଇଛି କି ନାହିଁ, ତାହା ଉପରେ କୋର୍ଟରେ ଯୁକ୍ତି ହେବ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ, ଜଣେ ଜୁନିଅର ଅଧିକାରୀଙ୍କୁ ଡିଜିପି ଚୟନ ଦୌଡ଼ରେ ସାମିଲ କରିବା ପାଇଁ ରାଜ୍ୟ ସରକାର ରାତିଅଧିଆ ପଦୋନ୍ନତି ଦେଇଥିଲେ। ଏହା ଡିଜିପି ଚୟନ ସମ୍ପର୍କିତ ନିୟମ ଓ ପ୍ରକାଶ ସିଂହ ରାୟରେ ଦିଆଯାଇଥିବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ ବୋଲି ଆବେଦନକାରୀ ପକ୍ଷ ଦାବି କରିଛନ୍ତି। ଅନ୍ୟପକ୍ଷରେ, ରାଜ୍ୟ ସରକାର ଏହି ଅଭିଯୋଗକୁ ଖଣ୍ଡନ କରି କାଉଣ୍ଟର ଆଫିଡେଭିଟ୍‌ରେ କହିଛନ୍ତି ଯେ, ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତି ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟା ଏବଂ ଏଥିରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ।

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହାପୂର୍ବରୁ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟ ୟୁପିଏସ୍‌ସିକୁ ସ୍ଥାୟୀ ଡିଜିପି ଚୟନ ବୈଠକ ସ୍ଥଗିତ ରଖିବାକୁ କହିଥିଲେ। ପରେ ଅଗଷ୍ଟ ୧୮ର ଶୁଣାଣିରେ ରାଜ୍ୟ ସରକାରଙ୍କ ଜବାବ ରେକର୍ଡଭୁକ୍ତ ହୋଇନଥିବାରୁ ଆଜିର ଶୁଣାଣି ଧାର୍ଯ୍ୟ ହୋଇଥିଲା। ଏବେ ସେପ୍ଟେମ୍ବର ୭ରେ ରାଜ୍ୟ ସରକାର ଓ ୟୁପିଏସ୍‌ସିର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ କୌଣସି ନିର୍ଦ୍ଦେଶ ଦେବେ କି ନାହିଁ, ତାହା ଉପରେ ଏବେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories