Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

DM School: ୬୨ ବର୍ଷର ଶିକ୍ଷାନୁଷ୍ଠାନ ଐତିହାସିକ ଡିଏମ୍ ସ୍କୁଲ ବିଲୀନ ହେବ , KVS ସହ ମିଶ୍ରଣକୁ ବିରୋଧ କଲେ ପୁରାତନ ଛାତ୍ର

ଭୁବନେଶ୍ୱର: ଭୁବନେଶ୍ୱରର ଐତିହାସିକ ଡେମୋନ୍ଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (KVS) ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ୧୯୬୪ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ସଂସ୍ଥାନ (RIE)ର ଅଭିନ୍ନ ଅଂଶ ଭାବେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ବର୍ତ୍ତମାନ ଏହାର ନାଁ ବଦଳି PM SHRI କେନ୍ଦ୍ରୀୟ ବିଦ୍ୟାଳୟ ହେବ ଏବଂ KVS ଢାଞ୍ଚାରେ ଶିକ୍ଷାଦାନ କରାଯିବ। ଦେଶର NCERT ଅଧୀନରେ ଥିବା ମୋଟ ୪ଟି ଡିଏମ୍ ସ୍କୁଲକୁ KVS ସହ ମିଶ୍ରଣ କରିବାର ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଏହି ନିଷ୍ପତ୍ତିକୁ ନେଇ ଡିଏମ୍ ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏହି ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ମଧ୍ୟରେ ପୂର୍ବତନ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ ଓ ବିଶିଷ୍ଟ ନ୍ୟୁରୋସର୍ଜନ ବି.କେ. ମିଶ୍ରଙ୍କ ଭଳି ବ୍ୟକ୍ତିତ୍ୱ ରହିଛନ୍ତି। ମିଶ୍ରଣ ପ୍ରସ୍ତାବକୁ ପୁନର୍ବିଚାର କରି ପ୍ରତ୍ୟାହାର କରିବାକୁ ପୁରାତନ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ NCERT ନିର୍ଦ୍ଦେଶକଙ୍କୁ ଦାବିପତ୍ର ପଠାଇଛନ୍ତି।

ଅଗଷ୍ଟ ୨୨ରେ ପୁରାତନ ଛାତ୍ର ରାଜୀବ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିବାକୁ ସ୍ଥିର ହୋଇଛି। “ଡିଏମ୍ ସ୍କୁଲକୁ ବଞ୍ଚାନ୍ତୁ, ଐତିହ୍ୟ ଓ ପରିଚୟକୁ ସୁରକ୍ଷା କରନ୍ତୁ” ବାର୍ତ୍ତା ସହ ସ୍କୁଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଜନସାଧାରଣ ଓ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ରାଜ୍ୟପାଳଙ୍କୁ ପ୍ରତିନିଧି ଦଳ ଭେଟିବାକୁ ଯୋଜନା ରହିଛି। ଆବଶ୍ୟକ ପଡ଼ିଲେ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ପୁରାତନ ଛାତ୍ରଛାତ୍ରୀ ନିଷ୍ପତ୍ତି ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ