Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Jagannath Temple: ସାର୍ବଜନୀନ ହେଲା ଶ୍ରୀମନ୍ଦିରର ଆୟ-ପାଣ୍ଠି ତଥ୍ୟ, ୧୮୧୧ କୋଟିରୁ ଅଧିକ ଟଙ୍କା ସ୍ଥାୟୀ ଜମା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଆୟ ଓ ବିଭିନ୍ନ ପାଣ୍ଠି ସମ୍ପର୍କିତ ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାର୍ବଜନୀନ କରାଯାଇଛି। ମନ୍ଦିରର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଖଣିଖାଦାନ, ସ୍ଥାୟୀ ଜମାରୁ ମିଳୁଥିବା ସୁଧ, ଜମି ବିକ୍ରି ଓ ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ଆସୁଥିବା ଜଣାପଡ଼ିଛି। ଆୟର ଏକ ଅଂଶ କର୍ପସ ଫଣ୍ଡ ଓ ଫାଉଣ୍ଡେସନ ପାଣ୍ଠି ଭାବେ ସ୍ଥାୟୀ ଜମାରେ ରଖାଯାଉଥିବା ବେଳେ ଅବଶିଷ୍ଟ ଅର୍ଥ ମନ୍ଦିର ପାଣ୍ଠିରେ ରଖାଯାଏ। ଶ୍ରୀମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯାଏ ଏବଂ ବଳକା ଅର୍ଥକୁ ପୁଣି ସ୍ଥାୟୀ ଜମା କରାଯାଏ।

ପ୍ରଶାସନର ତଥ୍ୟ ଅନୁସାରେ, ତିନୋଟି ଯୋଜନାରେ ମୋଟ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମା ରହିଛି। ଏଥିରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଏବଂ ଶ୍ରୀମନ୍ଦିରର ପିଏଲ୍‌ ଆକାଉଣ୍ଟରେ ଓଡ଼ିଶା ସରକାର ପ୍ରଦାନ କରିଥିବା ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ରହିଛି। ଏହାବ୍ୟତୀତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଥିବା ଦର୍ଶାଯାଇଛି। ପ୍ରତିଦିନ ଶ୍ରୀମନ୍ଦିର ହୁଣ୍ଡି ଗଣନା କରାଯାଇ ଏହାର ବିବରଣୀ ସୂଚନା ଫଳକ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଉଛି।

ଅନ୍ୟପକ୍ଷରେ, ଭକ୍ତଙ୍କ ଦାନକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ ଜୁନ୍‌ ୧୫ରେ ଡିଜିଟାଲ ହୁଣ୍ଡିର ଶୁଭାରମ୍ଭ କରାଯାଇଥିଲା। ଏହି ପ୍ଲାଟଫର୍ମ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତମାନେ ସହଜରେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରୁଛନ୍ତି ଏବଂ ଦାନର ରସିଦ୍‌ ମଧ୍ୟ ଡାଉନଲୋଡ୍‌ କରିପାରୁଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ଅନଲାଇନ୍‌ ପ୍ଲାଟଫର୍ମ ଜରିଆରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କା ଦାନ ମିଳିଛି। ଶ୍ରୀମନ୍ଦିର ପରିଚାଳନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ଭକ୍ତଙ୍କ ଦାନ ଓ ମନ୍ଦିର ସମ୍ପତ୍ତିର ସଠିକ୍‌ ପରିଚାଳନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories