Fertilizer Black Marketing: ସାର କଳାବଜାରୀଙ୍କୁ ଉପରେ ସରକାରଙ୍କ କଡା ପଦକ୍ଷେପ , ୯୬ ଲାଇସେନ୍ସ ବାତିଲ୍, ୩୨୧ ବ୍ୟବସାୟୀଙ୍କ ବିକ୍ରି ବନ୍ଦ
ଭୁବନେଶ୍ୱର: ସାର କଳାବଜାରୀ ଓ ହୋର୍ଡିଂ ରୋକିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଚଳିତ ବର୍ଷ ୧୨ ଜଣ ବ୍ୟବସାୟୀଙ୍କ ସାର ଷ୍ଟକ୍ ଜବତ କରାଯାଇଥିବା ବେଳେ, ସେଥିରୁ ୭ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଏହାସହ ୯୬ଟି ଡିଲରସିପ୍ ଲାଇସେନ୍ସ ବାତିଲ୍ ଓ ୧୭୦ଟି ଲାଇସେନ୍ସ ସ୍ଥଗିତ ରଖାଯାଇଛି। ଅନିୟମିତତା ଅଭିଯୋଗରେ ୩୨୧ ଜଣ ବ୍ୟବସାୟୀଙ୍କ ସାର ବିକ୍ରି ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଛି।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବୁଧବାର ଏହି ତଥ୍ୟ ଦିଆଯାଇଛି। ଏହାସହ ୨,୭୭୪ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଖରିଫ୍ ୨୦୨୬-୨୭ ଋତୁ ପୂର୍ବରୁ ସାରର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା, ହୋର୍ଡିଂ ଏବଂ ନିମ୍ନମାନର ସାର ବିକ୍ରି ରୋକିବା ପାଇଁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟ ଅଭିଯାନ ଚାଲିଛି। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ନିର୍ଦ୍ଦେଶରେ ବିଭାଗ ସାର କଳାବଜାର ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି।
ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ରାଜସ୍ୱ ଓ କୃଷି ବିଭାଗର ଅଧିକାରୀ ଏବଂ ପୋଲିସକୁ ନେଇ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ନିୟମିତ ଯାଞ୍ଚ କରୁଛି। ଅଧିକାରୀଙ୍କ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ୧୧,୬୮୪ଟି ସାର ଦୋକାନରେ ଚଢ଼ାଉ କରାଯାଇଛି। ୨୦୨୫-୨୬ ତୁଳନାରେ ଚଳିତ ବର୍ଷ ଏହି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନର ପରିସର ମଧ୍ୟ ବେଶ୍ ବଢ଼ିଛି।

