Bhubaneswar Accident: ପଳାସୁଣିରେ ସିରିଜ୍ ଦୁର୍ଘଟଣା! ୩ କାର୍ ଓ ୨ ବାଇକ୍କୁ ପିଟିଲା; ୪ରୁ ୫ ଜଣ ଆହତ
ଭୁବନେଶ୍ୱର: ଭୁବନେଶ୍ୱର ପଳାସୁଣି ଅଞ୍ଚଳରେ ଘଟିଛି ସିରିଜ୍ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ଦାମୀ କାର୍ ରାସ୍ତାରେ ଯାଉଥିବା ଅନ୍ୟ କାର୍ ଓ ବାଇକ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାରେ ୩ଟି କାର୍ ଓ ୨ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଛି। ଦାମୀ କାର୍ର ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ନେଇ ଅଭିଯୋଗ ହୋଇଛି। ତେବେ ଏନେଇ ପୁଲିସର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ।
ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା କାର୍ର ଚାଳକଙ୍କୁ ପୁଲିସ ଅଟକ ରଖିଛି। ଘଟଣାକୁ ନେଇ ପଳାସୁଣି ଅଞ୍ଚଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୁଲିସ ଘଟଣାର ସବୁଦିଗ ଯାଞ୍ଚ କରୁଛି।

