MS Dhoni: ୨୦୨୭ IPLକୁ ନେଇ ବଢ଼ିଲା ଉତ୍ସୁକତା! ଇମ୍ପାକ୍ଟ ପ୍ଲେୟର ନୁହେଁ ପୂରା ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି ମାହୀ
ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀଙ୍କ ୨୦୨୭ ଆଇପିଏଲ୍ ଭବିଷ୍ୟତକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ଧୋନୀ ଆଗାମୀ ସିଜିନ୍ରେ ଖେଳିବେ କି ନାହିଁ, ତାଙ୍କ ଫିଟନେସ୍ କେତେ ସାଥ୍ ଦେବ ଏବଂ ସେ କେଉଁ ଭୂମିକାରେ ନଜର ଆସିବେ, ତାହା ଉପରେ ନଜର ରହିଛି। ଏହାରି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ୍ର ପୂର୍ବତନ ବ୍ୟାଟର୍ ସୁବ୍ରମଣ୍ୟମ୍ ବଦ୍ରିନାଥ ଧୋନୀଙ୍କ ଭୂମିକାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବଦ୍ରିନାଥଙ୍କ କହିବା ଅନୁସାରେ, ଧୋନୀ ଯଦି ଆଗକୁ ଆଇପିଏଲ୍ ଖେଳନ୍ତି, ତେବେ ଇମ୍ପାକ୍ଟ ପ୍ଲେୟର ଭାବେ ଖେଳିବାକୁ ଚାହୁଁନାହାନ୍ତି।
ବଦ୍ରିନାଥଙ୍କ ଅନୁସାରେ, ଧୋନୀଙ୍କ ଇଚ୍ଛା ଅଛି ଯଦି ସେ, ଆଇପିଏଲ୍କୁ ଫେରନ୍ତି, ତେବେ ପୂରା ମ୍ୟାଚ୍ ୱିକେଟ୍କିପର୍ ଭାବେ ମଇଦାନରେ ରହିବେ। ଯଦିଓ ୪୫ ବର୍ଷୀୟ ଧୋନୀଙ୍କ ପାଇଁ ଇମ୍ପାକ୍ଟ ପ୍ଲେୟର ନିୟମ ଏକ ବିକଳ୍ପ ହୋଇପାରେ, ଏହା ତାଙ୍କୁ ପୂରା ୨୦ ଓଭର ୱିକେଟ୍କିପିଂ କରିବାର ଶାରୀରିକ ଚାପରୁ ରକ୍ଷା କରିପାରିବ। ତଥାପି ଧୋନୀ ଏଭଳି ଭୂମିକା ଚାହୁଁନଥିବା କଥା ବଦ୍ରିନାଥ କହିଛନ୍ତି। ତେଣୁ ତାଙ୍କ ୨୦୨୭ ସିଜିନ୍ ଖେଳିବା ନିଷ୍ପତ୍ତିରେ ଫିଟନେସ୍ ସବୁଠାରୁ ବଡ଼ ଫ୍ୟାକ୍ଟର ହୋଇପାରେ। ପୂରା ମ୍ୟାଚ୍ ୱିକେଟ୍କିପିଂ କରିବା ଏବଂ ଦୀର୍ଘ ସମୟ ମଇଦାନରେ ରହିବା ତାଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇବ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଧୋନୀ ବର୍ତ୍ତମାନ ସାଧାରଣତଃ ଇନିଂସ୍ର ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ଏଭଳି ସ୍ଥିତିରେ ଇମ୍ପାକ୍ଟ ପ୍ଲେୟର ଭାବେ ତାଙ୍କୁ ବ୍ୟବହାର କରିବା ସିଏସ୍କେ ପାଇଁ ରଣନୀତିକ ଭାବେ ଲାଭଦାୟକ ହୋଇପାରେ। ଏହାଦ୍ୱାରା ଦଳ ତାଙ୍କ ଅଭିଜ୍ଞତା ଓ ଫିନିଶିଂ କ୍ଷମତାର ଫାଇଦା ନେଇପାରିବା ସହ ଶାରୀରିକ ଚାପ ମଧ୍ୟ କମାଇପାରିବ। ୨୦୨୪ ସିଜିନ୍ ପୂର୍ବରୁ ଧୋନୀ ସିଏସ୍କେର ଅଧିନାୟକ ପଦ ଛାଡ଼ିଥିଲେ। ତେବେ ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ କରାଇଥିବା ଧୋନୀଙ୍କ ଅଭିଜ୍ଞତା ଏବେ ବି ଦଳ ପାଇଁ ମୂଲ୍ୟବାନ। ଏବେ ପ୍ରଶ୍ନ ହେଉଛି, ଧୋନୀଙ୍କ ଫିଟନେସ୍ ତାଙ୍କୁ ଆଉ ଏକ ପୂରା ଆଇପିଏଲ୍ ସିଜିନ୍ ୱିକେଟ୍କିପର୍ ଭାବେ ଖେଳିବାକୁ ଅନୁମତି ଦେବ କି ନାହିଁ।

