Supreme Court: ସରକାରୀ ସ୍କୁଲରେ ବାହାର ଲୋକଙ୍କ ପ୍ରବେଶ ଓ ଭିଡିଓଗ୍ରାଫି ଉପରେ ପ୍ରତିବନ୍ଧକୁ ଚ୍ୟାଲେଞ୍ଜ୍, ଆବେଦନ ଖାରଜ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଓ ରାଜସ୍ଥାନର ସରକାରୀ ସ୍କୁଲରେ ବିନା ଅନୁମତିରେ ବାହାର ଲୋକ, ସାମ୍ବାଦିକ, ୟୁଟ୍ୟୁବର୍, ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏବଂ ସମାଜର ପ୍ରତିନିଧିଙ୍କ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକୁ ଚ୍ୟାଲେଞ୍ଜ୍ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସ୍କୁଲ ପରିସରରେ ବିନା ଅନୁମତିରେ ଫଟୋଗ୍ରାଫି, ଭିଡିଓଗ୍ରାଫି, ଅଡିଓ ରେକର୍ଡିଂ, ସାକ୍ଷାତକାର ଓ ଲାଇଭ୍ଷ୍ଟ୍ରିମିଂ ଉପରେ ମଧ୍ୟ ଏହି ପ୍ରତିବନ୍ଧକ ଲାଗୁ ହୋଇଥିଲା। ଆବେଦନରେ ଏହି ନିୟମକୁ ସାମ୍ବିଧାନିକ ଅଧିକାର ବିରୋଧୀ ବୋଲି ଦର୍ଶାଯାଇଥିଲା।
ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ଏପରି ପ୍ରତିବନ୍ଧକ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯, ୨୧ ଓ ୨୧-ଏ ଅଧୀନରେ ମିଳିଥିବା ଅଧିକାରକୁ ପ୍ରଭାବିତ କରୁଛି। ଏହା ସହିତ ସରକାରୀ ସ୍କୁଲଗୁଡ଼ିକରେ ମୌଳିକ ସୁବିଧାର ଅଭାବ କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ, ତାହାକୁ ସାମ୍ନାକୁ ଆଣିବାରେ ମଧ୍ୟ ଏହି ନିୟମ ବାଧା ସୃଷ୍ଟି କରିପାରେ ବୋଲି ଦାବି କରାଯାଇଥିଲା। ‘ସ୍କୁଲ ଠିକ୍ କର’ ଅଭିଯାନ ସମୟରେ ବିନା ଅନୁମତିରେ ସ୍କୁଲରେ ପ୍ରବେଶ ଓ ଶିକ୍ଷକମାନଙ୍କ ଉପରେ ଚାପ ପକାଇବା ଭଳି ଘଟଣା ପରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା।
ଜଷ୍ଟିସ୍ ପି.ଏସ୍. ନରସିଂହା ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏହି ମାମଲାରେ ସମ୍ବିଧାନର ଅନୁଚ୍ଛେଦ ୩୨ ଅଧୀନରେ ଆବେଦନର ଶୁଣାଣି କରିବାକୁ ଇଚ୍ଛୁକ ନଥିବା ସ୍ପଷ୍ଟ କରିଥିଲେ। ଏହାପରେ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେଇଛନ୍ତି। ତେବେ ଏହି ରାୟ ପରେ ସରକାରୀ ସ୍କୁଲରେ ବାହାର ଲୋକଙ୍କ ପ୍ରବେଶ ଓ ରେକର୍ଡିଂ କୁ ନେଇ ଲାଗୁ ହୋଇଥିବା ନିୟମକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

