CM-KISAN: ଚାଷୀଙ୍କ ଖାତାକୁ ଗଲା ସିଏମ କିଷାନ ଯୋଜନାର ପଞ୍ଚମ କିସ୍ତି, ୪୧ ଲକ୍ଷରୁ ଅଧିକ ପରିବାର ପାଇଲେ ୮୩୩ କୋଟିରୁ ଅଧିକ ଟଙ୍କା
ଭୁବନେଶ୍ୱର: ଚାଷୀଙ୍କୁ ମିଳିଲା CM-KISAN ଯୋଜନାର ପଞ୍ଚମ କିସ୍ତି। ଭୁବନେଶ୍ୱର ଓୟୁଏଟି ମଞ୍ଚରୁ ମୁଖ୍ୟମନ୍ତ୍ରୀ ପଞ୍ଚମ କିସ୍ତିର ଅର୍ଥରାଶି ପ୍ରଦାନ କରିଛନ୍ତି। ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୮୩୩ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଯାଇଛି। ଏହି ଆର୍ଥିକ ସହାୟତା ଚାଷୀ ପରିବାରଙ୍କ କୃଷିକାର୍ଯ୍ୟ ଓ ଆନୁଷଙ୍ଗିକ ଖର୍ଚ୍ଚ ପୂରଣରେ ସହାୟକ ହେବ।
କୃଷିକାର୍ଯ୍ୟରେ ବିହନ, ସାର, କୀଟନାଶକ ସହ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବା ଏବଂ ଚାଷ ଜମି ପ୍ରସ୍ତୁତି ଭଳି ବିଭିନ୍ନ କାର୍ଯ୍ୟରେ ଚାଷୀଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଭଳି ସମୟରେ CM-KISAN ଯୋଜନାର ଏହି ସହାୟତା ଚାଷୀଙ୍କ ଆର୍ଥିକ ଚାପ କିଛି ମାତ୍ରାରେ କମାଇବା ସହ କୃଷିକାର୍ଯ୍ୟ ଜାରି ରଖିବାରେ ସହଯୋଗ କରିବ ବୋଲି ଆଶା କରାଯାଉଛି।
ଏହି ଯୋଜନାରେ ଭୂମିହୀନ କୃଷକ ପରିବାର ଏବଂ PVTG ସମୁଦାୟକୁ ମଧ୍ୟ ସାମିଲ କରାଯାଇଛି। ଫଳରେ କୃଷି ଓ ଏହା ସହ ଜଡ଼ିତ ପରିବାରଗୁଡ଼ିକୁ ଆର୍ଥିକ ସମର୍ଥନ ଦେବାର ପରିସର ବ୍ୟାପକ ହୋଇଛି। ସରକାରଙ୍କ ଏହି ପଦକ୍ଷେପ ଚାଷୀ ପରିବାରଙ୍କ ଜୀବିକାକୁ ସୁଦୃଢ଼ କରିବା ସହ କୃଷକ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା ବୋଲି କୁହାଯାଉଛି।

