Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

FCI Rice Row: ଚାଉଳ ଉଠାଣକୁ ନେଇ ସରକାର-ବିରୋଧୀ ମୁହାଁମୁହିଁ, ଯୋଗାଣ ମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି

ଭୁବନେଶ୍ୱର: ଓଡ଼ିଶାରୁ ଏଫସିଆଇ ଚାଉଳ ଉଠାଣ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଏଫସିଆଇ ଧୀରେ ଧୀରେ ରାଜ୍ୟରୁ ଚାଉଳ ଉଠାଇନେବ। ଏଥିପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ନିବେଦନ କରିଥିବା ସେ କହିଛନ୍ତି। ଏହାସହ ବିରୋଧୀ ବିଜେଡିକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ବର୍ଷ ଶାସନରେ ଥିଲେ ମଧ୍ୟ ପୂର୍ବ ସରକାର ଚାଷୀଙ୍କ ପାଇଁ ଯଥେଷ୍ଟ କାମ କରିନଥିଲା। ବର୍ତ୍ତମାନର ସରକାର ଧାନ ଇନପୁଟ୍‌ ସବସିଡି, ପିଏମ୍‌ କିଷାନ ଓ ସିଏମ୍‌ କିଷାନ ଭଳି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେଉଥିବା ସେ ଦାବି କରିଛନ୍ତି।

ଅନ୍ୟପଟେ, ଏହି ବୟାନକୁ ନେଇ ବିଜେଡି ସରକାରକୁ ଘେରିଛି। ଏଫସିଆଇ ଚାଉଳ ଉଠାଉନଥିବା ନେଇ ଯୋଗାଣ ମନ୍ତ୍ରୀ ନିଜେ ଅସହାୟତା ପ୍ରକାଶ କରୁଥିବା ବିଜେଡି ଅଭିଯୋଗ କରିଛି। ଦଳର କହିବାନୁସାରେ, ମୁଖ୍ୟମନ୍ତ୍ରୀ, ୨୦ ଜଣ ସାଂସଦ ଓ ଯୋଗାଣ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଏନେଇ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇନାହିଁ। ରାଜ୍ୟରେ ପ୍ରାୟ ୧୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ପଡ଼ିରହିଥିବା ଦାବି କରି ବିଜେଡି କହିଛି ଯେ, ଏଫସିଆଇ ଚାଉଳ ନଉଠାଇଲେ ଆଗାମୀ ଖରିଫ ଧାନ ସଂଗ୍ରହ ମଧ୍ୟ ପ୍ରଭାବିତ ହୋଇପାରେ। ଏହାକୁ ନେଇ ଦଳ ସରକାରଙ୍କୁ ଜବାବ ମାଗିଛି।

ସେପଟେ ବିଜେଡିର ଅଭିଯୋଗକୁ ବିଜେପି ପ୍ରତିହତ କରିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ଚାଉଳ ପ୍ରସଙ୍ଗରେ ବିଜେଡିର ସମାଲୋଚନା କରିବାର ନୈତିକ ଅଧିକାର ନାହିଁ। ଏଫସିଆଇ ସମ୍ପର୍କିତ ଯେଉଁ ସମସ୍ୟା ରହିଛି, ତାହା ଆଗାମୀ ଦିନରେ ସମାଧାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦଳର ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ନିଜ ଦୋଷ ନନେଇ ସରକାର କେବେ ଚାଷୀ, କେବେ କେନ୍ଦ୍ରକୁ ଦାୟୀ କରୁଛନ୍ତି। ଏହି ଚାଉଳ ଉଠାଣ ପ୍ରସଙ୍ଗକୁ ନେଇ ଏବେ ତିନି ପ୍ରମୁଖ ଦଳ ମଧ୍ୟରେ ବୟାନବାଜି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories