Teachers Day: ଶିକ୍ଷକଙ୍କୁ ସର୍ବୋଚ୍ଚ ସମ୍ମାନ ଦିଅନ୍ତୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆହ୍ୱାନ
ନୂଆଦିଲ୍ଲୀ: ଶିକ୍ଷକମାନେ ଦେଶର ଭବିଷ୍ୟତ ଗଢ଼ନ୍ତି। ତେଣୁ ପ୍ରତ୍ୟେକ ନାଗରିକ ଶିକ୍ଷକମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦେବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶିକ୍ଷକ ଦିବସ ଅବସରରେ ଦେଶର ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକଙ୍କ ଗୁରୁତ୍ୱ ଉପରେ ମତ ରଖିଛନ୍ତି ସେ। ରାଷ୍ଟ୍ରପତି କହିଛନ୍ତି, ଜଣେ ଭଲ ଓ ସ୍ନେହଶୀଳ ଶିକ୍ଷକ ଛାତ୍ରଛାତ୍ରୀଙ୍କ ମନରେ ଅସୀମ ସମ୍ଭାବନା ଓ ଆତ୍ମବିଶ୍ୱାସ ଜାଗ୍ରତ କରିପାରନ୍ତି। ଶିକ୍ଷକଙ୍କ ଦାୟିତ୍ୱ କେବଳ ପାଠ୍ୟକ୍ରମ ଶିକ୍ଷାଦାନରେ ସୀମିତ ନୁହେଁ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାଧୀନ ଚିନ୍ତାଧାରା, ପ୍ରଶ୍ନ କରିବାର ମନୋଭାବ, ବିଚାରଶକ୍ତି ଓ ନୈତିକ ମୂଲ୍ୟବୋଧ ବିକଶିତ କରିବା ମଧ୍ୟ ଶିକ୍ଷକଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଓ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କୁ ମଧ୍ୟ ସ୍ମରଣ କରିଛନ୍ତି। ନିଜ ଜନ୍ମଦିନକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଉ ବୋଲି ଡ. ରାଧାକୃଷ୍ଣନ ଇଚ୍ଛା ପ୍ରକାଶ କରିଥିଲେ। ସେହିପରି ଡ. ଏପିଜେ ଅବଦୁଲ କଲାମ ମଧ୍ୟ ନିଜକୁ ଜଣେ ଶିକ୍ଷକ ଭାବେ ସ୍ମରଣ କରାଯିବାକୁ ଅଧିକ ପସନ୍ଦ କରୁଥିଲେ ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନିଜ ଶିକ୍ଷକ ଜୀବନର ସ୍ମୃତି ବଖାଣି ସେ କହିଛନ୍ତି ଯେ, ରାଇରଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲରେ ସେ ଶିକ୍ଷକତା କରିଥିଲେ। ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କ ସଙ୍ଗୀତ, କ୍ରୀଡ଼ା ଓ ନାଟକ କାର୍ଯ୍ୟକ୍ରମରେ ମଧ୍ୟ ସେ ସକ୍ରିୟ ଭାବେ ଜଡ଼ିତ ଥିଲେ। ଏବେ ମଧ୍ୟ ତାଙ୍କ ପୂର୍ବତନ ଛାତ୍ରଛାତ୍ରୀମାନେ ପାରିବାରିକ କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରୁଥିବା ସେ ଉଲ୍ଲେଖ କରିଛନ୍ତି।
ଶିକ୍ଷକ ଓ ଛାତ୍ରଙ୍କ ସମ୍ପର୍କ କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନୁହେଁ। ଜଣେ ଶିକ୍ଷକ ଛାତ୍ରଙ୍କ ଜୀବନରେ ମାର୍ଗଦର୍ଶକ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି। ତେଣୁ ସମାଜ ଓ ଦେଶ ଗଠନରେ ଶିକ୍ଷକଙ୍କ ଅବଦାନକୁ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ଭାରତ ବିକଶିତ ରାଷ୍ଟ୍ର ହେବା ଦିଗରେ ଆଗକୁ ବଢ଼ୁଥିବା ବେଳେ ଶିକ୍ଷକମାନେ ଏଭଳି ପିଢ଼ି ଗଢ଼ନ୍ତୁ, ଯେଉଁମାନେ ଦେଶର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ କରିବେ, ବୈଜ୍ଞାନିକ ଦୃଷ୍ଟିକୋଣ ଆପଣାଇବେ, ପରିବେଶ ଓ ଜୀବଜଗତର ସୁରକ୍ଷା କରିବେ ଏବଂ ‘ନେସନ ଫର୍ଷ୍ଟ’ ଭାବନା ସହ ଦେଶର ସେବା କରିବେ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି।

