Swatantra Bhardwaj: କିଏ ଏହି ସ୍ୱତନ୍ତ୍ର ଭରଦ୍ୱାଜ? ଆକ୍ରମଣ ଅଭିଯୋଗ ପରେ ସାମ୍ନାକୁ ଆସିଲା ତାଙ୍କ ସୋସିଆଲ ମିଡିଆ ପରିଚୟ
ନୂଆଦିଲ୍ଲୀ: ହିନ୍ଦୁତ୍ୱ ସମର୍ଥକ ଇନ୍ଫ୍ଲୁଏନ୍ସର ଭାବେ ସୋସିଆଲ ମିଡିଆରେ ପରିଚିତ ୨୨ ବର୍ଷୀୟ ସ୍ୱତନ୍ତ୍ର ଭାରଦ୍ୱାଜ ଏବେ ଏକ ଆକ୍ରମଣ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିଜକୁ ‘ସନାତନୀ ଯୋଦ୍ଧା’ ବୋଲି ପରିଚୟ ଦେଉଥିବା ଭରଦ୍ୱାଜଙ୍କୁ ଶୁକ୍ରବାର ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ଜୁଲାଇ ୨୦ରେ ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ ଛାତ୍ର ଆନ୍ଦୋଳନକାରୀ ନିଶୁ ଆଜାଦଙ୍କ ବାପା ସଞ୍ଜୟ କୁମାରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି। ଏହି ଘଟଣା ପରେ ଏକ ଭାଇରାଲ ଭିଡିଓରେ ଭରଦ୍ୱାଜ ନିଜେ ସଞ୍ଜୟ କୁମାରଙ୍କ ମୁଣ୍ଡ ଫାଟିଯିବା ଭଳି ଆକ୍ରମଣ କରିଥିବା ଦାବି କରୁଥିବା ଶୁଣିବାକୁ ମିଳିଥିଲା। ସେ ଆହତ ବ୍ୟକ୍ତିଙ୍କୁ ୬୦ଟି ଷ୍ଟିଚ୍ ପଡ଼ିଥିବା ମଧ୍ୟ ଦାବି କରିଥିଲେ।
ସୋସିଆଲ ମିଡିଆରେ ଭରଦ୍ୱାଜ ବେଶ ପ୍ରଭାବ ସାଳି ରହିଛନ୍ତି | ତାଙ୍କର ବହୁ ସଂଖ୍ୟାରେ ଫଲୋରର୍ସ ରହିଛନ୍ତି । ତାଙ୍କ ଫେସବୁକ୍ ପେଜ୍ରେ ପ୍ରାୟ ୩ ଲକ୍ଷ ୨୭ ହଜାର ଫଲୋଅର୍ ଥିବାବେଳେ ଏଠାରେ ହିନ୍ଦୁତ୍ୱ, ଗୋ ସୁରକ୍ଷା, ମୁସଲିମ୍ ଓ ସରକାରଙ୍କ ସମାଲୋଚକଙ୍କୁ ନେଇ ଆକ୍ରମଣାତ୍ମକ ପୋଷ୍ଟ ଦେଖିବାକୁ ମିଳୁଥିବା ରିପୋର୍ଟରେ କୁହାଯାଇଛି। ରାଜନୈତିକ ନେତା ଓ ସରକାରୀ କାର୍ଯ୍ୟକ୍ରମ ସହ ନିଜର ସମ୍ପର୍କ ଦର୍ଶାଉଥିବା ଅନେକ ଫଟୋ ମଧ୍ୟ ସେ ପୋଷ୍ଟ କରିଥିଲେ। ଦିଲ୍ଲୀର ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟର ଫଟୋ ସହ ‘ସନାତନୀ ହିରୋ’ ଓ ‘ଗୋରକ୍ଷକ’ ଭଳି ହ୍ୟାସଟ୍ୟାଗ୍ ଦେଇଥିବା ଦାବି ହୋଇଛି। ଏହାସହ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ନାଁରେ ଆସିଥିବା ସ୍ୱାଧୀନତା ଦିବସ ନିମନ୍ତ୍ରଣପତ୍ର ଏବଂ ୨୦୨୪ରେ ନରେନ୍ଦ୍ର ମୋଦୀ ସରକାରଙ୍କ ଶପଥ ଗ୍ରହଣ ସମାରୋହର ନିମନ୍ତ୍ରଣପତ୍ରର ଫଟୋ ମଧ୍ୟ ସେୟାର କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତାଙ୍କ ଫଟୋରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଦିଲ୍ଲୀ ମନ୍ତ୍ରୀ କପିଲ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସହ ଥିବା ଦୃଶ୍ୟ ମଧ୍ୟ ରହିଛି।
ଭରଦ୍ୱାଜ ଭାଇରାଲ ଭିଡିଓରେ ନିଜର ରାଜନୈତିକ ସମ୍ପର୍କକୁ ଉଲ୍ଲେଖ କରି ଗିରଫ ନେଇ ଚିନ୍ତା ନଥିବା ଭଳି ଦାବି କରିଥିଲେ। ସେ କପିଲ ମିଶ୍ର, ଚିରାଗ ପାସୱାନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ‘ବଡ଼ ଭାଇ’ ବୋଲି କହିଥିଲେ ଏବଂ ସମସ୍ତଙ୍କ ସମର୍ଥନ ଥିବା ଦାବି କରିଥିଲେ। ତେବେ ଏହି ନେତାମାନଙ୍କ ମଧ୍ୟରୁ କେହି ଭରଦ୍ୱାଜଙ୍କୁ ମାମଲାରେ ସୁରକ୍ଷା ଦେଇଥିବାର କୌଣସି ପ୍ରମାଣ ନଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ, ଚିରାଗ ପାସୱାନ ଭରଦ୍ୱାଜ ତାଙ୍କ ନାଁର ଅପବ୍ୟବହାର କରିଥିବା ଅଭିଯୋଗ କରି ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ଭାଇରାଲ ଭିଡିଓ ପରେ ପୁଲିସ ତାଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ମୁତୟନ କରିଥିଲା। ପୁଲିସ ଅନୁସାରେ, ସେ ନାଇଥଲା ଗାଁରୁ ବାଇକ୍ରେ ଖୁର୍ଜା ଦିଗକୁ ଯାଇଥିଲେ ଏବଂ ପରିଚୟ ଲୁଚାଇବା ପାଇଁ ହେଲମେଟ୍ ପିନ୍ଧିଥିବା ଅଭିଯୋଗ ରହିଛି। ପରେ ବୁଲନ୍ଦସହରରେ ତାଙ୍କୁ ଅଟକ କରାଯାଇଥିଲା। ଏହାସହ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ମଧ୍ୟ ଶୁକ୍ରବାର ନିଷ୍କ୍ରିୟ ହୋଇଥିବା ବେଳେ, ଏକ୍ସରେ ତାଙ୍କ ଭେରିଫାଏଡ୍ ଆକାଉଣ୍ଟରେ ୬,୪୦୦ରୁ ଅଧିକ ଫଲୋଅର୍ ଥିବା ରିପୋର୍ଟରେ ଦର୍ଶାଯାଇଛି।

