Subhash Chandra CBI Case: ୧୩୨୨ କୋଟି ଟଙ୍କା ଋଣ ଠକେଇ ଅଭିଯୋଗ, ସୁଭାଷ ଚନ୍ଦ୍ରାଙ୍କ ସମେତ ୪ ଜଣଙ୍କ ବିରୋଧରେ FIR
ନୂଆଦିଲ୍ଲୀ: ଜି ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କ ସମେତ ୪ ଜଣଙ୍କ ବିରୋଧରେ ୧,୩୨୨ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ ଅଭିଯୋଗରେ FIR ରୁଜୁ କରିଛି CBI। LIC ହାଉସିଂ ଫାଇନାନ୍ସ ଲିମିଟେଡ୍ର ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସୁଭାଷ ଚନ୍ଦ୍ରାଙ୍କ ବ୍ୟତୀତ ପଙ୍କଜ ସୁରୋଲିଆ, ଅମିଶ ପାଣ୍ଡ୍ୟା ଏବଂ ରାଜୀବ ଢୋଲକିଆଙ୍କ ନାଁ ମଧ୍ୟ FIRରେ ରହିଛି। ୨୦୧୮ରୁ ୨୦୨୬ ମଧ୍ୟରେ ଠକେଇ, ବିଶ୍ୱାସଭଙ୍ଗ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଛି।
LICର ଅଭିଯୋଗ ଅନୁସାରେ, ୨୦୧୮ରେ ‘ମେସର୍ସ ବସନ୍ତ ସାଗର ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍’ ସମେତ ଅନ୍ୟ କମ୍ପାନୀ ପାଇଁ ଋଣ ନେବା ସମୟରେ ସୁଭାଷ ଚନ୍ଦ୍ରା ଏକ ନେଟ୍ୱର୍ଥ ସାର୍ଟିଫିକେଟ୍ ଦାଖଲ କରିଥିଲେ। ଅଭିଯୋଗ ଅନୁସାରେ, ସେଥିରେ ତାଙ୍କ ବ୍ୟକ୍ତିଗତ ନେଟ୍ୱର୍ଥ ₹୫୯,୧୧୩ କୋଟି ବୋଲି ଦର୍ଶାଯାଇଥିଲା। ଏହି ତଥ୍ୟକୁ ଆଧାର କରି LIC HFL ପକ୍ଷରୁ ତାଙ୍କ କମ୍ପାନୀଗୁଡ଼ିକୁ ₹୧,୩୨୨ କୋଟିରୁ ଅଧିକ ଋଣ ଦିଆଯାଇଥିବା ଅଭିଯୋଗ ରହିଛି। ପରବର୍ତ୍ତୀ ସମୟରେ ଚନ୍ଦ୍ରା ଏହି ସାର୍ଟିଫିକେଟ୍ରେ ଦର୍ଶାଯାଇଥିବା ସମ୍ପତ୍ତିର ମୂଲ୍ୟକୁ ଅସ୍ୱୀକାର କରିଥିବା ମଧ୍ୟ ଅଭିଯୋଗରେ କୁହାଯାଇଛି।
ଅନ୍ୟପକ୍ଷରେ, ଏସେଲ୍ ଗ୍ରୁପ୍ର କମ୍ପାନୀଗୁଡ଼ିକ ଋଣ ପରିଶୋଧ କରିପାରିନଥିବା ପରେ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ ତାଙ୍କ ପକ୍ଷରୁ ୨୦୨୪ରେ ପ୍ରକୃତ ନେଟ୍ୱର୍ଥ ₹୩୧.୭୯ କୋଟି ଥିବା ଏବଂ ୨୦୧୭-୧୮ରେ ମଧ୍ୟ ଏହା ₹୪୦,୦୦୦ କୋଟିରୁ ଅଧିକ ନଥିବା କୁହାଯାଇଥିବା ଦାବି ରହିଛି। ଏହାଛଡ଼ା, ପ୍ରାୟ ₹୨୨,୦୦୦ କୋଟିର ଦେନା ବଦଳରେ ₹୬.୫ କୋଟି ଦେଇ ସମାଧାନ କରିବା ପ୍ରସ୍ତାବକୁ ନେଇ ମଧ୍ୟ ବିବାଦ ହୋଇଥିଲା। ତେବେ CBIର FIR ପରେ ଏହି ମାମଲାରେ ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ଉପରେ ଏବେ ନଜର ରହିଛି।

