Snakebite Death: ସାପକାମୁଡାରେ ପ୍ରଥମେ ସ୍ତ୍ରୀ ଏବଂ ଗୋଟିଏ ଦିନ ପରେ ସ୍ୱାମୀଙ୍କ ମୃତ୍ୟୁ; ଗାଁରେ ଶୋକାକୁଳ ପରିବେଶ
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗାଁରେ ଏକ ଦୁଃଖଦ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି। ସାପ କାମୁଡ଼ାରେ ଏକ ଦମ୍ପତିଙ୍କ ଦିନକ ମଧ୍ୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ୩ ତାରିଖ ସକାଳେ ପରମାନନ୍ଦ ବାରିକଙ୍କ ସ୍ତ୍ରୀ ପ୍ରମିଳା ବାରିକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଓ ଗାଁ ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସ୍ତ୍ରୀଙ୍କ ଅନ୍ତେଷ୍ଟିକ୍ରିୟା ଶେଷ କରି ପରମାନନ୍ଦ ରାତିରେ ଘରେ ଶୋଇଥିଲେ। ଏହାର ପରଦିନ ସକାଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଗାଁ ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କୁ ବିଷଧର ସାପ କାମୁଡ଼ିଥିବା ସନ୍ଦେହ କରାଯାଇଥିଲା ଏବଂ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ତେବେ କଟକ ଯିବା ବାଟରେ ପରମାନନ୍ଦଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ଶରୀରରେ ସାପ କାମୁଡ଼ାର ଲକ୍ଷଣ ଦେଖାଯିବା ପରେ ପ୍ରମିଳାଙ୍କ ମୃତ୍ୟୁର କାରଣ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
ଏହାପରେ ଗ୍ରାମବାସୀମାନେ ପ୍ରମିଳାଙ୍କ ଶବକୁ ମସାଣିରୁ ବାହାର କରି ଭଦ୍ରକ ହସ୍ପିଟାଲକୁ ନେଇ ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି। ଘଟଣାରେ ଦମ୍ପତିଙ୍କ ପରିବାରରେ ଜଣେ ବୃଦ୍ଧା ମାଆ ଓ ଦୁଇ ନାବାଳିକା ଥିବା ଜଣାପଡ଼ିଛି। ହଠାତ୍ ଦୁଇଜଣଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ସମେତ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ପ୍ରମିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସତ୍ୟତା ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ। ଏହି ଗରିବ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

