Nandankanan: ସିଂହୀ ମାୟା ଜନ୍ମ ଦେଲା ୨ ଶାବକ, ନନ୍ଦନକାନନରେ ବୃଦ୍ଧି ପାଇଲା ସିଂହ ସଂଖ୍ୟା
ଭୁବନେଶ୍ୱର: ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଛି ଖୁସି ଖବର। ସିଂହୀ ମାୟା ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି। ଦୁଇ ନୂଆ ଅତିଥିଙ୍କ ଆଗମନକୁ ନେଇ ନନ୍ଦନକାନନରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ମାୟା ଓ ତା’ର ଦୁଇ ଶାବକ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି।
ନବଜାତ ଶାବକ ଦୁଇଟିର ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ମା’ ସିଂହୀ ମାୟାର ମଧ୍ୟ ଆବଶ୍ୟକ ଯତ୍ନ ନିଆଯାଉଛି। ନୂଆ ଶାବକଙ୍କ ଜନ୍ମ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।
ଦୁଇ ନୂଆ ଶାବକଙ୍କ ଆଗମନ ନନ୍ଦନକାନନର କର୍ମଚାରୀଙ୍କ ସହ ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ାଇଛି। ଶାବକ ଦୁଇଟି ବଡ଼ ହେବା ସହ ସେମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଆଗ୍ରହ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

