Iran Twin Sisters: ଇରାନ୍ରେ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଅଭିଯୋଗ, ଜଣେ ଭଉଣୀଙ୍କୁ ମୃତ୍ୟୁଦଣ୍ଡ ଓ ଅନ୍ୟଜଣଙ୍କୁ ୨୫ ବର୍ଷ ଜେଲ୍
ନୂଆଦିଲ୍ଲୀ: ଇରାନ୍ରେ ଜାନୁଆରୀରେ ହୋଇଥିବା ସରକାର ବିରୋଧୀ ପ୍ରଦର୍ଶନରେ ସାମିଲ ହୋଇଥିବା ଅଭିଯୋଗରେ ଯମଜ ଭଉଣୀ ତାରାନେହ ରହିମି ଓ ରୋମିନା ରହିମିଙ୍କୁ କଠୋର ଦଣ୍ଡ ଦିଆଯାଇଥିବା ରିପୋର୍ଟ ଆସିଛି। ତାରାନେହଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ରୋମିନାଙ୍କୁ ୨୫ ବର୍ଷର କାରାଦଣ୍ଡ ଦିଆଯାଇଛି। ରିପୋର୍ଟ ଅନୁସାରେ, ଗିରଫ ସମୟରେ ଉଭୟଙ୍କ ବୟସ ୧୯ ବର୍ଷ ଥିଲା ଏବଂ ସେମାନେ ହାଇସ୍କୁଲ୍ରେ ପଢ଼ୁଥିଲେ।
ରିପୋର୍ଟ ଅନୁସାରେ, ଜାନୁଆରୀରେ ମଧ୍ୟରାତ୍ରିରେ ମୁଖାପିନ୍ଧା କିଛି ବ୍ୟକ୍ତି ଇସଫାହାନ୍ସ୍ଥିତ ତାଙ୍କ ଘରୁ ଦୁଇ ଭଉଣୀଙ୍କୁ ନେଇଯାଇଥିଲେ। ପରେ ସେମାନେ ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ପକ୍ଷରୁ ପଠାଯାଇଥିବା ବ୍ୟକ୍ତି ବୋଲି ଜଣାପଡ଼ିଥିଲା। ପ୍ରାୟ ୪ ମାସ ପର୍ଯ୍ୟନ୍ତ ପରିବାର ଦୁଇ ଭଉଣୀଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଇନଥିଲେ। ତାଙ୍କ ମା’ ମାର୍ଜିଏ ନୁରମୋହମ୍ମାଦି ହସ୍ପିଟାଲ୍ ଓ ବିଭିନ୍ନ ସରକାରୀ ସଂସ୍ଥାରେ ଖୋଜାଖୋଜି କରିବା ପରେ ସେମାନେ ଇସଫାହାନ୍ର ଡୋଲତାବାଦ୍ ଜେଲ୍ରେ ଥିବା ଜାଣିଥିଲେ।
ମାମଲାକୁ ନେଇ ମାନବାଧିକାର ସଂଗଠନ ଓ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ତାରାନେହଙ୍କଠାରୁ ଚାପ ପକାଇ ସ୍ୱୀକାରୋକ୍ତି ନିଆଯାଇଥିବା ଏବଂ ଜେଲ୍ରେ ଉଭୟଙ୍କ ସହ ନିର୍ଯାତନା ହୋଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷରେ, ଏହି ମାମଲାରେ ହିଂସାତ୍ମକ କାର୍ଯ୍ୟର ପ୍ରମାଣ ନଥିବା ନେଇ ମଧ୍ୟ ପରିବାର ଓ ଅଧିକାର କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି।

