MPSC Protest: ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ପୁଣେରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ବିଶାଳ ମୋର୍ଚ୍ଚା
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାରୀ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ସୋମବାର ପୁଣେରେ ବଡ଼ ଧରଣର ବିକ୍ଷୋଭ ହୋଇଛି। ମହାରାଷ୍ଟ୍ର ଲୋକସେବା ଆୟୋଗ (MPSC) ପରୀକ୍ଷାର୍ଥୀମାନେ ଓଂକାରେଶ୍ୱର ମନ୍ଦିର ଅଞ୍ଚଳରୁ ପୁଣେ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ‘ଆକ୍ରୋଶ ମୋର୍ଚ୍ଚା’ କରିଛନ୍ତି। ଏହି ମୋର୍ଚ୍ଚାରେ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ।
ପରୀକ୍ଷାର୍ଥୀମାନେ MPSC ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଓ ଜବାବଦେହିତା ଦାବି କରିଛନ୍ତି। ବିଶେଷକରି ଡ୍ରଗ୍ ଇନ୍ସପେକ୍ଟର ପରୀକ୍ଷାରେ କଥିତ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଏବଂ ଫଳାଫଳ ନେଇ ଉଠିଥିବା ପ୍ରଶ୍ନର ତଦନ୍ତ ଦାବି କରାଯାଇଛି। ଏହାସହ ପରୀକ୍ଷାର ଫୋରେନସିକ୍ ଅଡିଟ୍ କରିବା ଏବଂ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ମଧ୍ୟ ଆନ୍ଦୋଳନକାରୀମାନେ ଦାବି ରଖିଛନ୍ତି।
ଏହି ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଦାବି ହେଉଛି MPSC ଅଧ୍ୟକ୍ଷ ବିବେକ ଭୀମନୱାର ଓ ସଚିବଙ୍କ ଇସ୍ତଫା କିମ୍ବା ପଦରୁ ହଟାଇବା। ସେମାନଙ୍କ ସ୍ଥାନରେ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏହାପୂର୍ବରୁ ମଧ୍ୟ ନିଯୁକ୍ତି ପରୀକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମହାରାଷ୍ଟ୍ର ସରକାର ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଓ ସୁରକ୍ଷା ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

