Ajeet Bharti: SC/ST ଆକ୍ଟ ମାମଲାରେ ଅଜିତ ଭାରତୀଙ୍କୁ ଝଟକା, ଅଗ୍ରିମ ଜାମିନ ଖାରଜ କଲେ ଦିଲ୍ଲୀ କୋର୍ଟ
SC/ST (Prevention of Atrocities) Act ଅଧୀନରେ ରୁଜୁ ମାମଲାରେ ୟୁଟ୍ୟୁବର ତଥା ସଂରକ୍ଷଣ ସଂସ୍କାର ସମର୍ଥକ ଅଜିତ ଭାରତୀଙ୍କୁ ବଡ଼ ଝଟକା ଲାଗିଛି। ସୋମବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ତାଙ୍କ ଅଗ୍ରିମ ଜାମିନ ଆବେଦନ ଖାରଜ କରିଛନ୍ତି। ଅତିରିକ୍ତ ସେସନ୍ସ ଜଜ୍ ସୌରଭ ପ୍ରତାପ ସିଂହ ଲାଲେର ଏହି ଆଦେଶ ଦେଇଛନ୍ତି। ମାମଲାରେ ଭାରତୀଙ୍କ ବିରୋଧରେ ଦିଲ୍ଲୀର ନର୍ଥ ଆଭେନ୍ୟୁ ଥାନାରେ ଅଗଷ୍ଟ ୨୩ରେ SC/ST ଆକ୍ଟ ସମେତ ଆଇଟି ଆକ୍ଟ ଓ BNSର କିଛି ଧାରାରେ FIR ରୁଜୁ ହୋଇଥିଲା।
ମାମଲାଟି ଅଜିତ ଭାରତୀଙ୍କ ଅଗଷ୍ଟ ୨୨ର ୟୁଟ୍ୟୁବ୍ କାର୍ଯ୍ୟକ୍ରମର ଏକ କ୍ଲିପ୍କୁ ନେଇ ରୁଜୁ ହୋଇଥିଲା। ଏଥିରେ ଜାତିକୁ ନେଇ ଅପମାନଜନକ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଭାରତୀଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ରଖି କହିଥିଲେ ଯେ, ସେ କୌଣସି ଜାତିସୂଚକ ଗାଳି ଦେଇନାହାନ୍ତି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ମନ୍ତବ୍ୟର ପ୍ରତିକ୍ରିୟାରେ ତାଙ୍କ ମନ୍ତବ୍ୟ ଆସିଥିଲା। ଅନ୍ୟପକ୍ଷରେ, ଦିଲ୍ଲୀ ପୁଲିସ କହିଥିଲା ଯେ କେବଳ ମାମଲା ରୁଜୁ ହୋଇଥିବା କାରଣରୁ ଭାରତୀଙ୍କୁ ଗିରଫ କରାଯିବ ବୋଲି ଆଶଙ୍କା କରିବାର କାରଣ ନାହିଁ ଏବଂ ଅଗ୍ରିମ ଜାମିନ ଆବେଦନ ଗ୍ରହଣଯୋଗ୍ୟ ନୁହେଁ।
ଏହି ଅଭିଯୋଗର ମୂଳରେ ଥିବା ୟୁଟ୍ୟୁବ୍ କାର୍ଯ୍ୟକ୍ରମରେ ଭାରତୀ ନାଗିନା ସାଂସଦ ତଥା ଆଜାଦ ସମାଜ ପାର୍ଟି ନେତା ଚନ୍ଦ୍ରଶେଖର ଆଜାଦଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଭାରତୀ ପୂର୍ବରୁ ଏହି FIRକୁ ‘ଚାପରେ ରୁଜୁ’ କରାଯାଇଥିବା ଦାବି କରିଥିଲେ ଏବଂ ନିଜ ବିରୋଧରେ ଜାତିସୂଚକ ମନ୍ତବ୍ୟର ଅଭିଯୋଗକୁ ଖଣ୍ଡନ କରିଥିଲେ। ତେବେ ଏବେ ଅଗ୍ରିମ ଜାମିନ ଖାରଜ ହେବା ପରେ ତାଙ୍କୁ ଗିରଫରୁ ମିଳିବାକୁ ଥିବା ପୂର୍ବ ସୁରକ୍ଷା ମିଳିନାହିଁ। କୋର୍ଟଙ୍କ ବିସ୍ତୃତ ଆଦେଶ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

