Tankapani Bridge: ପୁଣି କୁଆଖାଇକୁ ଡେଇଁଲେ ଯୁବକ, ବ୍ରିଜ୍ ଉପରେ ଅଟୋ ରଖି ନିଖୋଜ ଚାଳକ
ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ସେତୁରେ ପୁଣି ଅଘଟଣ ଘଟିଛି। ସୋମବାର ରାତିରେ ଜଣେ ଅଟୋ ଚାଳକ ସେତୁ ଉପରେ ନିଜ ଅଟୋ ରଖି କୁଆଖାଇ ନଦୀକୁ ଡେଇଁପଡ଼ିଥିବା ଅଭିଯୋଗ ହୋଇଛି। ନିଖୋଜ ଚାଳକଙ୍କୁ ସଞ୍ଜୟ ସ୍ୱାଇଁ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ପୁରୁଣା ଭୁବନେଶ୍ୱରର ହରଚଣ୍ଡି ସାହି ଅଞ୍ଚଳର ବାସିନ୍ଦା। ସୂଚନା ଅନୁସାରେ, ସଞ୍ଜୟ ରାତି ପ୍ରାୟ ୧୦ଟାରେ ଟଙ୍କପାଣି ସେତୁରେ ପହଞ୍ଚି ଅଟୋଟିକୁ ବ୍ରିଜ୍ ଉପରେ ରଖିଥିଲେ। ପରେ ତାଙ୍କ ମୋବାଇଲ୍, ଚପଲ ଓ ଅଟୋର ଚାବି ସେଠାରେ ଛାଡ଼ି ନଦୀକୁ ଡେଇଁଥିବା କୁହାଯାଉଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ବାଲିଅନ୍ତା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରୁ ହିଁ କୁଆଖାଇ ନଦୀରେ ଖୋଜାଖୋଜି ଆରମ୍ଭ ହୋଇଥିଲେ ମଧ୍ୟ ସଞ୍ଜୟଙ୍କ କୌଣସି ପତ୍ତା ମିଳିନାହିଁ। ତାଙ୍କ ସନ୍ଧାନରେ ଉଦ୍ଧାରକାରୀ ଦଳ ତଲାସୀ ଅଭିଯାନ ଜାରି ରଖିଛି। ତେବେ ସେ କାହିଁକି ଏଭଳି ପଦକ୍ଷେପ ନେଇଥିଲେ, ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ମାତ୍ର ଦୁଇ ଦିନ ପୂର୍ବରୁ ଟଙ୍କପାଣି ସେତୁରୁ ଜଣେ ୨୩ ବର୍ଷୀୟ ଯୁବକ ମଧ୍ୟ କୁଆଖାଇ ନଦୀକୁ ଡେଇଁପଡ଼ିଥିଲେ। ତାଙ୍କୁ ଭବାନୀ ଶଙ୍କର ଖଟେଇ ବୋଲି ଚିହ୍ନଟ କରାଯାଇଥିଲା ଏବଂ ପ୍ରାୟ ୧୨ ଘଣ୍ଟାର ଖୋଜାଖୋଜି ପରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏକାଧିକ ଦିନ ମଧ୍ୟରେ ସମାନ ସ୍ଥାନରେ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ଟଙ୍କପାଣି ସେତୁର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

